ଏସସିବିରେ ଜଗାର ହେବ ସ୍ୱାସ୍ଥ୍ୟ ଯାଞ୍ଚ

ଏମ୍ସରୁ ଆସିବେ ସ୍ୱତନ୍ତ୍ର ଡାକ୍ତରୀ ଦଳ

କଟକ: କଟକ ବଡ଼ମେଡିକାଲରେ ଅଛି ଜଗା। ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ତାକୁ ଅଣାଯାଇଛି। ପ୍ରାୟ ଦେଢ଼ ବର୍ଷ ବ୍ୟବଧାନରେ ଜଗା ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଉଛି। ଦିଲ୍ଲୀ ଏମ୍ସରୁ ଜଗାର ଅସ୍ତ୍ରୋପଚାର କରିଥିବା ଡାକ୍ତର ଦୀପକ ଗୁଣ୍ଡାଙ୍କ ନେତୃତ୍ୱରେ ଏକ ବିଶେଷଜ୍ଞ ଟିମ୍ ଆଜି ଆସିବେ। ୨ ଦିନ ଧରି ଏସସିବିରେ ଜଗାର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିବେ। ୭ ବର୍ଷିୟ ଜଗାକୁ ଏବେ ଟ୍ରମା କାଜୁଆଲିଟିର ସ୍ୱତନ୍ତ୍ର ପ୍ରକୋଷ୍ଠରେ ରଖାଯାଇଛି। ଗତକାଲି ନ୍ୟୁରୋସର୍ଜରି ବିଭାଗ ବରିଷ୍ଠ ବିଶେଷଜ୍ଞ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ରଙ୍କ ନେତୃତ୍ୱରେ ଜଗାର ଏମଆରଆଇ କରାଯାଇଥିଲା। ସୂଚନାଯୋଗ୍ୟ, କନ୍ଧମାଳ ଜିଲ୍ଲା ମିଲିପଦା ଅଞ୍ଚଳର ଭୁବନ କହଁର ଓ ପୁଷ୍ପାଞ୍ଜଳି କହଁରଙ୍କର ୨୦୧୫ ମସିହାରେ ଯୋଡ଼ାମୁଣ୍ଡ ଶିଶୁ ଜନ୍ମ ହୋଇଥିଲେ। ଦୁଇ ଶିଶୁ ଜଗା-ବଳିଆଙ୍କ ଚିକିତ୍ସା ନିମନ୍ତେ ରାଜ୍ୟ ସରକାର ସମସ୍ତ ସହଯୋଗ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାଥମିକ ପର୍ୟ୍ୟାୟରେ ୧ କୋଟି ଟଙ୍କା ସହାୟତା ଘୋଷଣା କରିଥିବା ବେଳେ ଜଗା-ବଳିଆଙ୍କୁ ୨୦୧୭ ମସିହା ଜୁଲାଇ ମାସରେ ଦିଲ୍ଲୀ ଏମ୍‌ସକୁ ପଠାଯାଇଥିଲା। ସେଠାରେ ଅସ୍ତ୍ରୋପଚାର କରାଯାଇ ଜଗା ଓ ବଳିଆଙ୍କୁ ଅଲଗା କରାଯାଇଥିଲା। ୨୦୧୯ ମସିହାରେ ଉଭୟ ଏସ୍‌ସିବି ମେଡ଼ିକାଲକୁ ଆସିଥିଲେ। ନ୍ୟୁରୋସର୍ଜରି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ରଙ୍କ ନେତୃତ୍ବରେ ଉଭୟ ଜଗା-ବଳିଆଙ୍କ ଚିକିତ୍ସା ପାଇଁ ୧୪ ଜଣିଆ ଟିମ୍‌ ଗଠନ କରାଯାଇ ଚିକିତ୍ସା କରାଯାଉଥିଲା। କିନ୍ତୁ ୨୦୨୦ ଡିସେମ୍ବର ୨୩ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ବଳିଆର ଏସ୍‌ସିବିରେ ମୃତ୍ୟୁ ଘଟିଥିଲା। ଏହାପରେ ଜଗା କନ୍ଧମାଳ ଫେରିଯାଇଥିଲା।