ଏଣିକି ପ୍ରଧାନଶିକ୍ଷକ ନେବେ ଦୁଇଟି କ୍ଲାସ

(ଭୁବନେଶ୍ୱର-ରାଜେଶ ସାହୁ) ଏଣିକି ରାଜ୍ୟର ସରକାରୀ ସ୍କୁଲଗୁଡ଼ିକରେ ପ୍ରଧାନଶିକ୍ଷକମାନେ ପ୍ରତିଦିନ ଅତି କମ୍ରେ ଦୁଇଟି କ୍ଲାସ କରିବେ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରୀ ହୋଇଚି ନିର୍ଦ୍ଦେଶ । ସ୍କୁଲଗୁଡ଼ିକ ପରିଚାଳନା କରିବା ସହ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ପାଠ ପଢ଼ାଇବେ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
କିଛିଦିନ ହେବ ଶିକ୍ଷା ବିଭାଗର ଅତିରିକ୍ତ ସଚିବ ଆଲୋକ କୁମାର କର ବିଭିନ୍ନ ଜିଲ୍ଲାର ସ୍କୁଲ ପରିଦର୍ଶନ କରିଥିଲେ। ସେହି ସମୟରେ ପ୍ରଧାନ ଶିକ୍ଷକମାନେ କ୍ଲାସ ନକରି ସ୍କୁଲର ଅଲଗା କାମରେ ବ୍ୟସ୍ତ ରହୁଥିବା ଦେଖିବାକୁ ପାଇଥିଲେ। ତେଣୁ ସେ ଏକ ଚିଠିରେ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି, ପ୍ରଧାନଶିକ୍ଷକମାନେ ସ୍କୁଲ ପରିଚାଳନା କରିବା ସହ ପ୍ରତିଦିନ ଅତି କମ୍ରେ ଦୁଇଟି କ୍ଲାସ କରିବେ।
ଏଥିସହ ଚିଠିରେ ଦର୍ଶାଯାଇଛି ଯେ, ଗୋଟିଏ ସ୍କୁଲର ପ୍ରଧାନଶିକ୍ଷକ ହିଁ ସବୁଠାରୁ ଅଧିକ ଅଭିଜ୍ଞ ବ୍ୟକ୍ତି। ତେଣୁ ସେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ସହ ଅନ୍ୟ ଶିକ୍ଷକମାନଙ୍କ କ୍ଲାସକୁ ତଦାରଖ କରିବେ।