ଭୁବନେଶ୍ୱର(ରିପୋର୍ଟର୍ସ ଟୁଡେ): ରାଜ୍ୟରେ କୋରୋନା ସଂକ୍ରମଣ ବଢୁଥିବାରୁ ବିଭିନ୍ନ ସ୍ଥାନରେ କୋଭିଡ ହସ୍ପିଟାଲ ଖୋଲା ଯାଉଛି। ବିରଜା କ୍ଷେତ୍ର ଯାଜପୁରରେ ମଧ୍ୟ କୋଭିଡ ହସ୍ପିଟାଲ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି। କୋରୋନା ରୋଗୀମାନଙ୍କ ଚିକିତ୍ସା ପାଇଁ ଯାଜପୁର ଜିଲ୍ଲାର ଭୂମିକା ମଲ୍ଟି ସ୍ପେଶାଲିଟି ହସ୍ପିଟାଲକୁ ଚୟନ କରାଯାଇଛି। ଘରୋଇ ସହାୟତାରେ ଜିଲ୍ଲାରେ ସ୍ଵତନ୍ତ୍ର କୋଭିଡ ହସ୍ପିଟାଲ ଖୋଲିବା ପାଇଁ ଅନୁମତି ଦେଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ। ଏହା ଦ୍ବାରା ଯାଜପୁର ଜିଲ୍ଲା ସମେତ ନିକଟସ୍ଥ ଜିଲ୍ଲା ଗୁଡ଼ିକୁ ଚିକିତ୍ସା ପାଇଁ ରାଜଧାନୀ ଭୁବନେଶ୍ବର ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ।
ଏହି ହସ୍ପିଟାଲରେ ୧୫୦ ଅକ୍ସିଜେନ ସଂଯୁକ୍ତ ବେଡ଼ ସହିତ ୫୦ଟି ICU ବେଡ଼ ମଧ୍ୟ ରହିବ। ତେବେ ଏହି ହସ୍ପିଟାଲରେ ରୋଗୀଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ କରାଯିବ ବୋଲି କୁହାଯାଇଛି। ଚିକିତ୍ସା ପାଇଁ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ।