ଦୀଘା ଜଗନ୍ନାଥ ମନ୍ଦିର ପାଇଁ ‘ଧାମ’ ଟ୍ୟାଗ୍ ବ୍ୟବହାର ବିବାଦକୁ ନେଇ ଗୋବର୍ଦ୍ଧନ ଦାସ ପ୍ରଭୁଙ୍କୁ ଚିଠି ଲେଖିଲେ ଗଜପତି ମହାରାଜା

ଭୁବନେଶ୍ୱର-: ବିରୋଧକୁ ଭୃକ୍ଷେପ ନାହିଁ, କି ସମାଲୋଚନାକୁ ଡର ନାହିଁ । ଦୀଘା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ ନାଁ ଦେବାର ଅପଚେଷ୍ଟାରୁ ହଟୁନାହାନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏମିତିକି ଜଗନ୍ନାଥ ସଂସ୍କୃତିକୁ ଉପହାସ ସହ ଓଡ଼ିଆଙ୍କୁ ତାଚ୍ଛଲ୍ୟ କରିଛନ୍ତି ମମତା । ଏପଟେ ନବ ନିର୍ମିତ ଜଗନ୍ନାଥ ମନ୍ଦିର ପାଇଁ ‘ଧାମ’ ଟ୍ୟାଗ୍ ବ୍ୟବହାରକୁ ନେଇ ବିବାଦ ବଢୁଥିବା ବେଳେ ଏନେଇ ଗଜପତି ମହାରାଜା ଦିବ୍ୟସିଂହ ଦେବ ଇସ୍କନର ହସ୍ତକ୍ଷେପ ଲୋଡ଼ିଛନ୍ତି ।

ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଗଜପତି ମହାରାଜା, ପଶ୍ଚିମବଙ୍ଗର ମାୟାପୁରୀ ଇସ୍କନର ପରିଚାଳନା ସଂସ୍ଥା କମିଶନର ଅଧ୍ୟକ୍ଷ ଗୋବର୍ଦ୍ଧନ ଦାସ ପ୍ରଭୁଙ୍କୁ ଏକ ଚିଠି ଲେଖି ଏହି ସମ୍ବେଦନଶୀଳ ମାମଲାର ସମାଧାନ ପାଇଁ ତାଙ୍କୁ ଅନୁରୋଧ କରିଛନ୍ତି । ଦୀଘା ମନ୍ଦିର ଟ୍ରଷ୍ଟରେ ଇସ୍କନ ପ୍ରତିନିଧି ରହିଥିବାରୁ ସେମାନଙ୍କ ସହାୟତା ଲୋଡିଛନ୍ତି ଗଜପତି ମହାରାଜା । ପୁରୀ ଶ୍ରୀକ୍ଷେତ୍ର ବ୍ୟତୀତ ଅନ୍ୟ କୌଣସି ସ୍ଥାନ କିମ୍ବା ମନ୍ଦିରକୁ ଜଗନ୍ନାଥ ଧାମ କୁହାଯିବା ଉଚିତ୍ ନୁହେଁ ବୋଲି ଦର୍ଶାଯାଇଛି।