(ଦୀପକ ମିଶ୍ର / ଉଦଳା ) : ଲଗାଣ ବର୍ଷା ଫଳରେ ଉଦଳା ଅଞ୍ଚଳରେ ସ୍ଥିତି ବେହାଲ । ଗତକାଲି ରାତିରେ ଶିମିଳିପାଳ ଉପରମୁଣ୍ଡରେ ଲଗାଣ ବର୍ଷା କାରଣରୁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଛି । ଉପରମୁଣ୍ଡରୁ ପାଣି ପ୍ରବାହିତ ହେବା ଫଳରେ ନାଲୁହା ନଦୀର ଜଳସ୍ତର ବୃଦ୍ଧି ପାଇଛି । ଯାହା ଫଳରେ ଉଦଳା – ବାରିପଦା ରାଜ୍ୟ ରାଜପଥର ନାଲୁହା ଛକ ନିକଟରେ ଥିବା ପୋଲ ଉପରେ ଚାରି ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି । ଦୀର୍ଘ ଦୁଇ ଘଣ୍ଟାରୁ ଅଧିକ ହେବ ନଦୀ ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଉଦଳା – ବାରିପଦା ଯୋଗାଯୋଗ ବିଛିନ୍ନ ହୋଇଛି । ରାସ୍ତାର ଦୁଇ ପାର୍ଶ୍ୱରେ ବହୁ ଯାନବାହାନ ଅଟକି ରହିଥିବା ବେଳେ ନଦୀ ଫୁଲିବା ଆରମ୍ଭ କରିଛି । ଏପରି ପୋଲର କେତେଗୋଟି ପିଲର ମଧ୍ୟ ଭାଙ୍ଗି ଯାଇଥିବା ଜଣାଯାଇଛି ।