ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ସୁବାସ ପାଣିଙ୍କ ପରଲୋକ

ଭୁବନେଶ୍ଵର: ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ସୁବାସ ପାଣିଙ୍କ ପରଲୋକ । ଜଗନ୍ନାଥ ସଂସ୍କୃତି ଗବେଷକ ଓ ଲେଖକ ଭାବେ ମଧ୍ୟ ପରିଚିତ ଥିଲେ ସୁବାସ ପାଣି । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା । ସୁବାସ ପାଣିଙ୍କ ନିଧନରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏନେଇ ନିଜ ଏକ୍ସରେ ଶ୍ରଦ୍ଧାଞ୍ଜଳି ଦେଇ ଲେଖିଛନ୍ତି, ଓଡ଼ିଶା ସରକାରଙ୍କ ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ତଥା ବିଶିଷ୍ଟ ଜଗନ୍ନାଥ ସଂସ୍କୃତି ଗବେଷକ ଓ ଲେଖକ ସୁବାସ ପାଣିଙ୍କ ଦେହାନ୍ତ ବିଷୟରେ ଶୁଣି ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ । ତାଙ୍କ ବିୟୋଗ ଆମ ସମସ୍ତଙ୍କ ପାଇଁ ଏକ ଅପୂରଣୀୟ କ୍ଷତି । ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ଶାନ୍ତି ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି । ସୁବାସ ପାଣି ଭାରତ ସରକାରଙ୍କ ନିର୍ବାଚନ କମିଶନର, ଗ୍ରାମୀଣ ବିକାଶ ଓ ଭୂମି ସମ୍ପଦ ଏବଂ ଯୋଜନା କମିଶନର ସଚିବ ଭାବେ କାର୍ଯ୍ୟ କରିଛନ୍ତି। ସେ ଜଣେ ଦକ୍ଷ ଲେଖକ, ଅନୁବାଦକ, ସଙ୍ଗୀତଜ୍ଞ ଏବଂ ସୃଜନଶୀଳ ନିର୍ଦ୍ଦେଶକ ଥିଲେ। ଏହାସହ ସେ ପ୍ରାୟ ୨୦ ବର୍ଷରୁ ଅଧିକ ସମୟ ଧରି ଦୂରଦର୍ଶନର ରଥଯାତ୍ରାର ଜାତୀୟ ଏବଂ ଅନ୍ତର୍ଜାତୀୟ ପ୍ରସାରଣ ପାଇଁ ଜଣେ ଭାଷ୍ୟକାର ଭାବରେ କାର୍ଯ୍ୟ କରିଛନ୍ତି।