ଡ୍ରାଇଭର ସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ: ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଟାସ୍କଫୋର୍ସ ଗଠନ

ଭୁବନେଶ୍ୱର : ଡ୍ରାଇଭର ସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଯୋଗୁଁ ପ୍ରଭାବିତ ହୋଇଥିବା ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଟାସ୍କଫୋର୍ସ ଗଠନ ହୋଇଛି । ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ଗଠନ ହୋଇଛି । ପୋଲିସ ମହାନିର୍ଦ୍ଦେଶକ, ଉନ୍ନୟନ କମିଶନର, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ, ଖାଦ୍ୟ ଯୋଗାଣ ଓ ଉପଭୋକ୍ତା କଲ୍ୟାଣ ବିଭାଗ ଆୟୁକ୍ତ ଟାସ୍କ ଫୋର୍ସର ସଦସ୍ୟ ରହିଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କିପରି ବାଧାପ୍ରାପ୍ତ ନହେବ, ତାହା ଉପରେ ନଜର ରଖି ଟାସ୍କଫୋର୍ସ । ସହାୟତା ପାଇଁ ୩ଟି କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ଅଧା ବାଟରେ ଯଦି କୌଣସି ଗାଡ଼ି ଅସୁବିଧାର ସମ୍ମୁଖୀନ ହେବ, ତେବେ ଡାଏଲ- ୧୧୨କୁ ଫୋନ୍ କରି ଜଣାଇପାରିବେ ।

ରାଜ୍ୟରେ ଜରୁରୀକାଳୀନ ରେସପନ୍ସ କେନ୍ଦ୍ର ୧୧୨, ପରିବହନ କମିସନରଙ୍କ କାର୍ଯ୍ୟାଳୟ ୧୮୦୦-୩୪୫-୧୦୭୩ ଓ ଖାଦ୍ୟ ଯୋଗାଣ ବିଭାଗର ୦୬୭୪-୨୩୯୩୬୪୪ ନମ୍ବର ଯୋଗାଯୋଗ କରାଯାଇପାରିବ । ଗତକାଲି ସଂଧ୍ୟାରେ କମିଟିର ପ୍ରଥମ ବୈଠକ ବସିବା ସହିତ ପରିସ୍ଥିତି ସଂପର୍କରେ ଆଲୋଚନା କରାଯାଇଥିଲା । ଅତ୍ୟାବଶ୍ୟକ ସାମଗ୍ରୀର ପରିବହନ ପାଇଁ ଟାସ୍କ ଫୋର୍ସ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ଜନସାଧାରଣଙ୍କୁ ଯେପରି କୌଣସି ପ୍ରକାର ସମସ୍ୟା ନ ହେବ ସେଥିପାଇଁ ବିକଳ୍ପ ବ୍ୟବସ୍ଥା ଉପ‌ରେ ବିଚାର କରାଯାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।