ବାଲେଶ୍ୱର: ଶଙ୍କର ପ୍ରଜାତିର ଏକ ତେଲିଆ ଶୀଳା ମାଛ ୧୩ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି। ଦୀଘା ମୁହାଣରେ ଏହି ବିଶାଳକାୟ ମାଛକୁ ଦେଖିବା ପାଇଁ କାର୍ତ୍ତିକ ବେହେରାଙ୍କ ମାଛ ଅଡତରେ ଲୋକଙ୍କ ଲମ୍ବା ଲାଇନ ଲାଗିଯାଇଥିଲା। ୩ ଘଣ୍ଟାଧରି ଦରଦାମ ପର୍ବ ପରିଶେଷରେ ୨୬ ହଜାର ଟଙ୍କା କିଲୋ ଦରରେ ମୋଟ ୧୩ ଲକ୍ଷ ଟଙ୍କାରେ ମାଛଟିକୁ କିଣି ନେଇଛନ୍ତି ଏସଏଫଟି ନାମକ ଏକ ସଂସ୍ଥା। ମାଛଟି ଶଙ୍କର ପ୍ରଜାତିର ତେଲିଆ ଶୀଳା ବୋଲି ସ୍ଥାନୀୟ ମତ୍ସ୍ୟଜୀବୀମାନେ ସୂଚନା ଦେଇଛନ୍ତି। ଏହି ପ୍ରଜାତିର ମାଛ ସ୍ତ୍ରୀ ଓ ପୁରୁଷ ପ୍ରଜାତି ବ୍ୟତୀତ ଉଭୟ ପ୍ରଜାତିର ମଧ୍ୟ ହୋଇଥାଏ। ତେବେ ଉଭୟ ଲିଙ୍ଗ ବିଶିଷ୍ଟ ତେଲିଆ ମାଛର ସ୍ଥାନୀୟ ନାମ ଖଚ୍ଚଡ ଶୀଳା। ଏହି ମାଛ ପେଟରେ ସବୁଠୁ ଅଧିକ ପଟକା ଥାଏ ସେଥିଲାଗି ଏ ମାଛର ମୂଲ୍ୟ ଅଧିକ ହୋଇଥାଏ। ବ୍ୟବସାୟୀଙ୍କ କହିବା ଅନୁସାରେ ମାଛର ପଟକା ଔଷଧ ତିଆରି କାମରେ ଲାଗେ ସେଥିପାଇଁ ଅଧିକ ଦାମରେ ବିଦେଶୀ ଔଷଧ କମ୍ପାନୀ ତରଫରୁ କିଣାଯାଇଥାଏ। ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ନଇନା ବାସିନ୍ଦା ଶିବାଜୀ କବିର ମାଛଟିକୁ ନିଲାମ ପାଇଁ ଦୀଘା ମୁହାଣ ମତ୍ସ୍ୟ ଅବତରଣ କେନ୍ଦ୍ରକୁ ନେଇ ଆସିଥିଲେ। ମାଛର ଓଜନ ମୋଟ ୫୫ କିଲୋ ବୋଲି ଜଣାପଡିଛି। ବଲ୍ଲମ କିଲୋ ପ୍ରତି ୫ ଶତାଂଶ ଅତିରିକ୍ତ ଓଜନ ଏବଂ ଅଣ୍ଡା ପାଇଁ ୫ କିଲୋ ବାଦ ଦେଇ ମାଛଟିର ଓଜନ ମୋଟ ୫୦ କିଲୋ। ଅଡତଦାର କାର୍ତ୍ତିକ ବେହେରା ସୂଚନା ଦେଇଛନ୍ତି। ମାଛ ପେଟରେ ଅଣ୍ଡା ଥିବାରୁ ପଟକାର ପରିମାଣ କମ ରହିଛି। ୬ ଦିନ ତଳେ ୩୦ କିଲୋ ଓଜନର ଗୋଟିଏ ତେଲିଆ ଶୀଳା ମାଛ ୯ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା।