ହୋଲି ପାଇଁ ରାଜଧାନୀରେ ସଜାଗ ରହିଛନ୍ତି ଅଗ୍ନିଶମ ବାହିନୀ

ଭୁବନେଶ୍ୱର: ଆସନ୍ତାକାଲି ରଙ୍ଗର ପର୍ବ ହୋଲି । ବରଷରେ ଥରେ ହୋଲି ଆସିଥାଏ। ସମସ୍ତେ ହୋଲି ଖେଳିବାକୁ ଅପେକ୍ଷା କରିଥାନ୍ତି। ଏଭଳି ପରିସ୍ଥିତିରେ ଅନେକ ଲୋକ ହୋଲି ଅବସରରେ ରଙ୍ଗ ଖେଳିବାକୁ ପସନ୍ଦ କରନ୍ତି । ଯାହାର ଝଲକ ମଧ୍ୟ ରାଜଧାନୀର ରାସ୍ତାଘାଟ ଠାରୁ ଆରମ୍ଭ କରି ହାଟବଜାରରେ ମଧ୍ୟ ଅନୁଭୂତ ହୋଇଥାଏ। ଏ ନେଇ ରାଜଧାନୀରେ ସଜାଗ ରହିଛନ୍ତି ଅଗ୍ନିଶମ ବାହିନୀ । ପ୍ରତିବର୍ଷ ରଙ୍ଗ ଖେଳ ପରେ ନଦୀ କିମ୍ବା ପୋଖରୀରେ ଗାଧୋଇବା ବେଳେ ଅନେକ ଅଘଟଣ ଘଟିଥାଏ । ଏହି ଅଘଟଣକୁ ରୋକିବାକୁ ଭୁବନେଶ୍ୱର ୫ଟି ସ୍ଥାନରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । କୁଆଖାଇ, ଦୟା, ପୁରୀ କେନାଲ, ବାଲିପାଟଣା, ସାଇଫନ ଠାରେ ଅଗ୍ନିଶମ ବାହିନୀ ନିୟୋଜିତ ରହିବେ । ଲାଇଫ୍‍ ଜ୍ୟାକେଟ୍‍, ମେସିନ୍‍ ରବର ବୋଟ ସହ ପ୍ରତି ଟିମରେ ୬ଜଣ ଲେଖାଏ କର୍ମଚାରୀ ରହିବେ । ଏହାସହିତ ଲୋକଙ୍କୁ ମଦ୍ୟପାନ ଠାରୁ ଦୁରେଇ ରହିବାକୁ ପରାମର୍ଶ ଦିଆଯାଇଛି । ନଦୀ ପଠାରେ ଗାଧୋଇବାକୁ ଗଲେ ସତର୍କତା ଅବଲମ୍ବନ କରିବାକୁ ଅପିଲ କରାଯାଇଛି ।