ନୂତନ ପ୍ରଣାଳୀରେ ଚାଷକରି ଲାଭବାନ ଚାଷୀ

ପୁରୀ(ଜୟନ୍ତ କୁମାର ସେଠି): ମାହାମରୀ କରୋନାର ଦ୍ଵିତୀୟ ଲହରୀ ସାରା ରାଜ୍ୟରେ କାୟା ବିସ୍ତାର କରିଥିବା ବେଳେ ସେଥିରୁ ରକ୍ଷାପାଇବା ପାଇଁ ସରକାର କୋଭିଡ କଟକଣାକୁ କଡାକଡି କରିଛନ୍ତି। ଲକଡାଉନ ସଟଡାଉନ ହେବା ଫଳରେ ହୋଟେଲ, ରେଷ୍ଟୁରାଣ୍ଟ ଓ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ହେବା ସହିତ ଭୋଜି ଭାତ ବନ୍ଦ ହୋଇଯିବାରୁ ପନି ପରିବା ଚାଷୀଙ୍କ ଉପରେ ଏହାର ପ୍ରଭାବ ଦେଖାଦେଇଛି। ତେବେ ଏହି ସମୟରେ ପୁରୀ ଜିଲ୍ଲା ନିମାପଡା ବିଷ୍ଣୁପୁର ଅଞ୍ଚଳର ଯୁବ ଚାଷୀ ସନ୍ତୋଷ ସାହୁ ନିଜ ଉଦ୍ୟମରେ ସ୍ବାବଲମ୍ବୀ ହୋଇ ପାରିଛନ୍ତି । ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ଚାଷକୁ ପେଷା ଭାବରେ ଗ୍ରହଣ କରି ସଫଳତା ହାସଲ କରିଛନ୍ତି ସନ୍ତୋଷ। ସେ ନିଜେ ସ୍ଵାବଲମ୍ବି ହେବା ସହ ବର୍ଷ ତମାମ ନିଜ ଜମିରେ 10 ରୁ ଉର୍ଦ୍ଧ୍ଵ ଲୋକଙ୍କୁ ରୋଜଗାର ମଧ୍ୟ ଯୋଗାଇ ଦେଉଛନ୍ତି ।

ରାସାୟନିକ ସାର ପ୍ରୟୋଗ ନ କରି ଜୈବିକ ପଦ୍ଧତି ରେ ଚାଷ କରି ସନ୍ତୋଷ ବେଶ୍ ଲାଭବାନ ହୋଇ ପାରିଛନ୍ତି ।ସେପଟେ ବାତ୍ୟା,ବନ୍ୟା, ଭଳି ଦୈବିଦୁର୍ବିପାକ ଯୋଗୁଁ ଚାଷ ରେ ହେଉଥିବା କ୍ଷତି ର ଭରଣା କରି ପାରୁନଥିବା ଚାଷୀ ଚାଷ କାର୍ଯ୍ୟ ଛାଡି ଦାଦନ ଯାଉଥିବାର ନଜର ଆସୁଛି। କିନ୍ତୁ ନିମାପଡ଼ା ବିଷ୍ଣୁ ପୁର ଅଂଚଳର ସନ୍ତୋଷ ସାହୁଙ୍କର ଶିକ୍ଷାଗତ ଯୋଗ୍ୟତା ବିଏ ପାସ । କିନ୍ତୁ ଚାକିରୀ ବଦଳରେ ଚାଷ କରିବାକୁ ଆଗ୍ରହ ଦେଖାଇଥିଲେ ସନ୍ତୋଷ ।

ଗତ ୫ ବର୍ଷ ଧରି ଚାଷକୁ ନିଜର ବୃତ୍ତି ଭାବରେ ଗ୍ରହଣ କରି ଭଲ ଅର୍ଥ ଉପାର୍ଜନ କରିବାରେ ସକ୍ଷମ ହୋଇ ପାରିଛନ୍ତି ଏହି ଯୁବ ଚାଷୀ । ଏକର ଏକର ଚାଷ ଜମିରେ ଚାଷ କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି । ଏବେ ଚାଷ ଜମିରେ ନୂତନ ପ୍ରଣାଳୀରେ ନେଟ ମାଧ୍ୟମରେ କଲରା କରି ବେଶ ଲାଭବାନ ହୋଇଥିବା ସନ୍ତୋଷ ଅନ୍ୟ ଚାଷୀ ମାନଙ୍କୁ ଚାଷ କରିବା ପାଇଁ ଉତ୍ସାହିତ କରୁଥିବା ବେଳେ ଅନେକ ପରିବାରକୁ ରୋଜଗାର ଯୋଗାଇ ଦେବାରେ ମଧ୍ୟ ସକ୍ଷମ ହୋଇଛନ୍ତି । ନିଜ ଜମିରେ ପାଣିପାଗକୁ ଦେଖି ସନ୍ତୋଷ ବିଭିନ୍ନ ପନି ପରିବା ଚାଷ କରନ୍ତି।

ସନ୍ତୋଷ ଚାଷ ଜମିରେ ଚାଷ କରି ଅଞ୍ଚଳରେ ଖୁବ ଲୋକପ୍ରିୟତା ବଢିଥିବା ବେଳେ ଅନ୍ୟ ଚାଷୀଙ୍କ ପାଇଁ ସେ ଉଦାହରଣ ପାଲଟିଛନ୍ତି । ସନ୍ତୋଷଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଗଲେ ସନ୍ତୋଷ ପନି ପରିବା ଚାଷରେ ଆଉ ଉନ୍ନତି କରି ପାରନ୍ତେ ବୋଲି କାମ କରିବାକୁ ଆସିଥିବା ଚାଷୀମାନେ ମତ ରଖିଛନ୍ତି ।