(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ପ୍ରତିବର୍ଷ ଡିସେମ୍ବର ୨୩ରେ ସାରା ଭାରତରେ କୃଷକ ଦିବସ ପାଳିତ ହୋଇଥାଏ। ଭାରତର ପଞ୍ଚମ ପ୍ରଧାନମନ୍ତ୍ରୀ ଚୌଧୂରୀ ଚରଣ ସିଂହଙ୍କ ଜନ୍ମଦିନକୁ ଜାତୀୟ କୃଷକ ଦିବସ ଭାବେ ପାଳନ କରାଯାଉଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଚରଣ ସିଂହଙ୍କ ଜନ୍ମ ୧୯୦୩ ଆଜିର ଦିନରେ ହୋଇଥିଲା।
ପ୍ରଧାନମନ୍ତ୍ରୀ ଥିବା କାଳରେ ଦେଶର କୃଷକଙ୍କ ଉନ୍ନତି କ୍ଷେତ୍ରରେ ସେ ଅନେକ ପଦକ୍ଷେପ ନେଇଥିଲେ। ଏହାର ମୂଳ କାରଣ ଥିଲା ଚରଣ ସିଂହ ନିଜେ କୃଷକ ପରିବାରରେ ଜନ୍ମ ହୋଇଥିଲେ। ସେ କୃଷକଙ୍କ ସମସ୍ୟାକୁ ଅଙ୍ଗେ ନିଭାଇଥିଲେ। ସେଥିପାଇଁ ତାଙ୍କ ଜନ୍ମଦିନକୁ ସାରାଦେଶରେ କୃଷକ ଦିବସ ଭାବେ ପାଳିତ ହୋଇ ଆସୁଛି।
କୃଷି ଓ କୃଷକର ଉନ୍ନତିରେ ଦେଶର ପ୍ରଗତି ସମ୍ଭବ ହୋଇଥାଏ। କୃଷକ ନିଜ ଝାଳ ବୁହାଇ ଲୋକଙ୍କୁ ଖାଦ୍ୟଶସ୍ୟ ଯୋଗାଇଥାଏ। ଏହି ଦୃଷ୍ଟିରୁ ଦେଶର ପ୍ରତି ନାଗରିକ କୃଷକଙ୍କୁ ସମ୍ମାନ ଦେବା ଆବଶ୍ୟକ ବୋଲି ଚରଣ ସିଂହ ଦେଶବାସୀଙ୍କୁ ଜଣାଇବାକୁ ଚାହୁଁଥିଲେ। ଏହି ଦିବସ ପାଳନ ହେବାର ଆଉ ଏକ କାରଣ ହେଲା କୃଷକଙ୍କର ଯୋଗଦାନକୁ ଲୋକଙ୍କୁ ଜଣାଇବା।