(ରଜନୀକାନ୍ତ ପାତ୍ର / ହିଞିଳି) ; ବ୍ରହ୍ମପୁର ମହାନଗର ବିଭିନ୍ନ ସ୍ଥାନରେ ସଂଗଠିତ ଚୋରୀ ଘଟଣାରେ ପୋଲିସର ସ୍ୱତନ୍ତ୍ର ଟିମ୍ ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ନଗଦ ୨.୮ ଲକ୍ଷ ଟଙ୍କା, ଆପଲ୍ ଫୋନ୍, ଲାପଟପ୍ ଆଦି ଜବତ କରିବାରେ ସକ୍ଷମ ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି । ବ୍ରହ୍ମପୁର ଅତିରିକ୍ତ ଏସ୍ପି ପ୍ରଭାତ ଚନ୍ଦ୍ର ରାଉତରାୟଙ୍କ ସୂଚନାକ୍ରମେ ଗତ କିଛିଦିନ ମଧ୍ୟରେ କ୍ରମାଗତ ଚୋରି ଘଟଣା ନେଇ ଗୋସାଇଁନୂଆଗାଁ ଥାନା ଆଇଆଇସି ସୁମିତ ସୋରେନ୍ ଓ ବଡ଼ ବଜାର ଥାନା ଅତିରିକ୍ତ ଆଇଆଇସି ମହେନ୍ଦ୍ର କୁମାର ସାହୁ ଗଠିତ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବଡ଼ବଜାର ଥାନା ଅନ୍ତର୍ଗତ ପୂର୍ଣ୍ଣବାସୀ କଲୋନୀର ଶେଖ୍ ଆସିଫ୍(୧୯), ଗୋସାଇଁନୂଆଗାଁ ହାଉସିଂବୋର୍ଡ଼ କଲୋନୀର ଜି.ସନ୍ତୋଷ କୁମାର(୨୦) ଓ ଗୋସାଇଁନୂଆଗାଁ ମିନାକ୍ଷୀ ନଗରର ବାବୁଲା ନାୟକଙ୍କୁ ଗିରଫ କରି ଘରର ତାଲା ଭଙ୍ଗା ସାମଗ୍ରୀ ଜବତ କରିଥିବା ଜଣାପଡ଼ିଛି । ଉକ୍ତ ଅଭିଯୁକ୍ତମାନେ ଗୋସାଇଁନୂଆଗାଁ ଥାନା ଅନ୍ତର୍ଗତ ଗିରିରୋଡ଼ ସ୍ଥିତ ସିମେଣ୍ଟ ଦୋକାନ ଓ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଗୋଇଲୁଣ୍ଡି ସ୍ଥିତ ମୋବାଇଲ୍ ଫୋନ୍ ଦୋକାନରୁ ସଂଗଠିତ ଚୋରି ଘଟଣାରେ ସମ୍ପୃକ୍ତ ଥିବା ପୋଲିସ ପକ୍ଷରୁ ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ଉକ୍ତ ଅଭିଯୁକ୍ତମାନେ ୬ ଟି ମାମଲାରେ ସମ୍ପୃକ୍ତ ଥିବା ପୋଲିସ ପକ୍ଷରୁ କୁହାଯାଇଛି ।