ମୁମ୍ବାଇ: ମହାରାଷ୍ଟ୍ରରେ ୫ ଥାକିଆ ଅନଲକ୍ ପର୍ୟ୍ୟାୟ ଆରମ୍ଭ ହେବା ପରେ ରାସ୍ତାଘାଟ, ସହର ବଜାରର ହାଉଜାଉ ଅବସ୍ଥାକୁ ଦେଖି ଛାନିଆ ବିଶେଷଜ୍ଞ । ଏପରି ସ୍ଥିତି ରହିଲେ ଖୁବ ଶୀଘ୍ର କରୋନାର ତୃତୀୟ ଲହର ମହାରାଷ୍ଟ୍ରକୁ କବଳିତ କରିବ ବୋଲି ଆଶଙ୍କା କରାଯାଉଛି। ତୃତୀୟ ଲହରରେ ଡେଲ୍ଟା ପ୍ଲସ୍ ଭ୍ୟାରିଏଣ୍ଟ ମହାରାଷ୍ଟ୍ରେ ଆତଙ୍କ ଖେଳାଇବା ସମ୍ଭାବନା ସୃଷ୍ଟି ହୋଇଛି । ବିଶେଷଜ୍ଞଙ୍କ ଅନୁଯାୟୀ ଦ୍ୱିତୀୟ ଲହରଠୁ ଦୁଇଗୁଣା ଅଧିକ ରହିପାରେ ତୃତୀୟ ଲହର।
ତେବେ ସମ୍ଭାବ୍ୟ ତୃତୀୟ ଲହରର ଭୟ ଭିତରେ ପିଲାଙ୍କ ପାଇଁ ଆଶ୍ୱସ୍ତି ଆଣିଛି ଡବ୍ଲୁ ଏଚ ଓ ତଥା ଏମ୍ସ । ପ୍ରଥମ ଓ ଦ୍ୱିତୀୟ ଲହରରେ ଯୁବକ ଓ ମଧ୍ୟ ବୟସ୍କ ଅଧିକ ଆକ୍ରାନ୍ତ ହୋଇଛନ୍ତି ଏବଂ ସେମାନଙ୍କ ଶରୀରରେ ଆଣ୍ଟିବଡ଼ି ସୃଷ୍ଟି ହୋଇ ସାରିଛି। ତେଣୁ ସେମାନଙ୍କ ଆକ୍ରାନ୍ତ ଆଶଙ୍କା କମ୍ । ଶିଶୁମାନଙ୍କ ଠାରେ ରୋଗପ୍ରତିରୋଧକ ଶକ୍ତି ଅଧିକ ଥିବାରୁ ସେମାନେ ମଧ୍ୟ ସେତେ ଅଧିକ ପ୍ରଭାବିତ ହେବେ ନାହିଁ ପୂର୍ବାନୁମାନ କରିଛି ଡବ୍ଲୁ ଏଚ ଓ ତଥା ଏମ୍ସର ବିଶେଷଜ୍ଞ ଟିମ୍।