(ସତ୍ୟନାରାୟଣ ପାଲ୍/ରାଇରଙ୍ଗପୁର): ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁରରେ ହାତୀ ଉତ୍ପାତ । ବୁଧବାର ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ କୁସୁମିତ ବ୍ଲକର ହାଟବାଦଡା ପଞ୍ଚାୟତରେ ଏକ ବାଟହୁଡା ଝାଡ଼ଖଣ୍ଡୀ ଦନ୍ତା ପ୍ରବଳ ବର୍ଷା ଯୋଗୁଁ ହାଟବାଦଡା ପଞ୍ଚାୟତର ଚିଙ୍ଗୁଡ଼ି ପୋଖରୀ, ବଳଦପୁର ଗାଁ ବିଲରେ ପଶି ଫସଲ ନଷ୍ଟ କରିଥିଲା ।
ସୁଚନା ଯେ ଗୁରୁବାର ଭୋର ରୁ ଚିଙ୍ଗୁଡ଼ି ପୋଖରୀ ଗ୍ରାମର ଚାନ୍ଦରାୟ ବେଶ୍ରା ଦନ୍ତା ହାବୁଡ଼ରେ ପଡିଥିଲେ । ସେଠାରୁ ସେ ପ୍ରାଣ ବିକଳରେ ଘର ଆଡକୁ ଦୌଡିଥିବା ବେଳେ ଚାନ୍ଦରାୟ ଙ୍କୁ ଅଣ୍ଟାରେ ଧରି ହାତୀ କଚାଡି ଦେଇଥିଲା ଓ ଦୁଇଟି ଘର ନଷ୍ଟ କରି ଦେଇଥିଲା । କଚାଡିବା ଫଳରେ ଚାନ୍ଦରାୟର ଅଣ୍ଟା ଭାଙ୍ଗି ଯାଇଥିଲା । ଚିକିତ୍ସା ପାଇଁ ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେହିଭଳି ବଳଦପୁର ଗାଁ ର ସିଙ୍ଗରାୟ ମାଝୀଙ୍କୁ ମଧ୍ୟ ଦନ୍ତା ଆକ୍ରମଣ କରିଥିଲା । ଯାହା ଫଳରେ ତାଙ୍କ ଗୋଡ ଭାଙ୍ଗିଯାଇଥିବା ଜଣାପଡିଛି । ଖବର ପାଇ ମୟୂରଭଂଜ ସଦର ବିଜେଡି ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମଙ୍କ ସହିତ ଦଳର କିଛି ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ବନ ବିଭାଗ, ପୋଲିସ ଓ ପ୍ରଶାସନ ସହିତ ଆଲେଚନା କରିଥିଲେ । ତା ସହ ହାତୀ ଘୋଡାଇବାକୁ କାର୍ୟ୍ୟରେ ଗ୍ରାମବାସୀ ଏବଂ ବନବିଭାଗ ସହ ସାମିଲ ହୋଇଥିଲେ । ବନ ବିଭାଗ ଦନ୍ତାକୁ ପଡୋଶୀ ଝାଡଖଣ୍ଡ ଜଙ୍ଗଲ ସୀମା ଆଡ଼କୁ ଘଉଡାଇ ଥିଲେ । ହାତୀମାନଙ୍କୁ ଘଉଡାଇ ସୀମା ପାର କରାଯାଉ ଓ ଦୁଇ ଗୁରୁତରଙ୍କୁ ଚିକିତ୍ସା ସହ ସହାୟତା ରାଶି ପ୍ରଦାନ କରାଯାଉ ବୋଲି ଗ୍ରାମବାସୀ ମାନେ ଦାବି କରିଛନ୍ତି ।