ମୋଦିଙ୍କ ଫଟୋ ପାଇଁ ରେଳ ବିଭାଗ ଏବଂ ବିମାନ ଚଳାଚଳ ବିଭାଗକୁ ଚିଠି

(ରିପୋର୍ଟସ ଟୁଡ଼େ)ନୂଆଦିଲ୍ଲୀ: ରେଳ ଟିକେଟ ଓ ବିମାନ ବୋର୍ଡିଂ ପାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଛାପାଯିବା ଘଟଣା ଏବେ ମହଙ୍ଗା ସାବ୍ୟସ୍ତ ହୋଇଛି। ଏହି ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛନ୍ତି ନିର୍ବାଚନ କମିଶନ। ଆୟୋଗ ଏଥି ନିମନ୍ତେ ରେଳ ବିଭାଗ ଏବଂ ବେସାମରିକ ବିମାନ ଚଳାଚଳ ବିଭାଗକୁ ଚିଠି ଲେଖି ତିନି ଦିନ ମଧ୍ୟରେ ଜବାବ ମାଗିଛନ୍ତି । ଏହାସହ ଟିକେଟରେ ମୋଦୀଙ୍କ ଛବି କାହିଁକି ହଟାଯାଇନାହିଁ ବୋଲି ଆୟୋଗ ପ୍ରଶ୍ନ କରିଛନ୍ତି ।
ସମଗ୍ର ଦେଶରେ ନିର୍ବାଚନ ଆଚରଣ ବିଧି ଲାଗୁଥିବା କାଳରେ କେଉଁ ପରିସ୍ଥିତିରେ ସେମାନେ ସେମାନଙ୍କର ଟିକେଟ ଓ ବୋର୍ଡିଂ ପାସ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଛାପୁଥିଲେ। ନିର୍ବାଚନ ଆଚରଣ ବିଧି ଅନୁଯାୟୀ ଦେଶର ରାଜକୋଷ ଅର୍ଥରେ କୌଣସି ରାଜନେତାଙ୍କ ଫଟୋ, ନାମ କିମ୍ବା ଦଳର ଚିହ୍ନକୁ ପ୍ରଚାର ପ୍ରସାର କରାଯାଇ ପାରିବ ନାହିଁ। ଏହା ଏକ ଦଣ୍ଡନୀୟ ଅପରାଧ।
ଏୟାର ଇଣ୍ଡିଆର ପ୍ରବକ୍ତା ଧନଂଜୟ କୁମାର କହିଛନ୍ତି ଯେ, ଏୟାର ଇଣ୍ଡିଆର ଏହା ସହ କୌଣସୀ ସଂପର୍କ ନାହିଁ । ଏହାକୁ ତୃତୀୟ ପକ୍ଷ ବିଜ୍ଞାପନ ବୋଲି ଧରାଯାଏ । ଏହାର ତଦନ୍ତ କରାଯିବ ବୋଲି କୁହାଯାଇଥିଲା । ଏହା କେବଳ ଗୁଜୁରାତ ନୁହେଁ ସାରା ଭାରତରେ ବ୍ୟବହାର ହେଉଛି । ଏହାପରେ କମ୍ପାନୀ ସମସ୍ତ ପାସକୁ ଫେରସ୍ତ ମାଗିଛି ।