(ରିିପୋର୍ଟସ ଟୁଡ଼େ / ଭୁବନେଶ୍ୱର ) : ଅନ୍ଧାରରେ କେତେକ କାର୍ୟ୍ୟ କରିବାକୁ ବାରଣ କରାଯାଇଥାଏ। ଏହାଦ୍ୱାରା ମସ୍ତିଷ୍କ ତଥା ଆଖି ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ ବୋଲି କୁହାଯାଇଥାଏ। ଅନ୍ଧାରରେ ମୋବାଇଲ୍ ଅଥବା ଲ୍ୟାପ୍ଟପ୍ରେ କାମ କରିବା ଦ୍ୱାରା ଦୃଷ୍ଟି ଶକ୍ତି ହ୍ରାସ ପାଇବା ସହିତ ମାନସିକ ଚାପ ଅନୁଭୁତ ହୋଇଥାଏ। ଆମେରିକା ଟରଣ୍ଟୋ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟ ଅନୁସାରେ ପ୍ରତିଦିନ ଅନ୍ଧାରରେ ଘଣ୍ଟାଏ ସ୍ମାର୍ଟଫୋନ୍ ଦେଖିଲେ ଆଖିରେ ଥିବା ତରଳ ପଦାର୍ଥ ସୁଖି ଯାଇଥାଏ। ଫଳରେ ଏହାର ଖରାପ ପ୍ରଭାବ ରେଟିନା ଉପରେ ପଡେ । ଦୀର୍ଘ ଦିନ ଧରି ଏହା ଜାରି ରହିଲେ ଦୃଷ୍ଟିଶକ୍ତି ହ୍ରାସ ପାଇଥାଏ। ଏହା ଶରୀରରେ ମେଲାଟୋନିନ୍ ହରମୋନ୍ କ୍ଷରଣ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଏହାଯୋଗୁ ବହୁ ସମୟ ପର୍ୟ୍ୟନ୍ତ ଆଖିକୁ ନିଦ ଆସେ ନାହିଁ । ଏହା ସହିତ ମାନସିକ ଚାପ ମଧ୍ୟ ବୃଦ୍ଧି ପାଏ । ବିଳମ୍ବିତ ରାତି ପର୍ୟ୍ୟନ୍ତ ମୋବାଇଲ୍ ବ୍ୟବହାର ଦ୍ୱାରା ବ୍ରେନ ଟ୍ୟୁମର ହେବାର ଆଶଙ୍କା ରହିଥାଏ । ଏହା ମସ୍ତିଷ୍କର ସ୍ମୃତିଶକ୍ତି ହ୍ରାସ କରେ। ଆଖିଡୋଳା ଉପରେ ଚାପ ପଡିବା ଯୋଗୁ ପରବର୍ତ୍ତୀ ସମୟରେ ଗ୍ଲୁକୋମା ସମସ୍ୟା ସୃଷ୍ଟି ହୋଇଥାଏ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି।