(ରିପୋର୍ଟରସ୍ ଟୁଡେ) ଭୁବନେଶ୍ୱର: ଯୌତୁକ ନିର୍ଯାତନକୁ ନେଇ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଦେଇଛନ୍ତି । ଏବେ ପୀଡିତା ମହିଳାଙ୍କ କୌଣସି ବି ସଂପର୍କୀୟ ତାଙ୍କ ଶାଶୂଘର ଲୋକ ଏବଂ ସ୍ୱାମୀଙ୍କ ବିରୋଧରେ ଯୌତୁକ ନିର୍ଯାତନାକୁ ନେଇ କେସ୍ ଦେଇପାରିବେ ।
ଜଷ୍ଟିସ୍ ଅଶୋକ ଭୂଷଣ ଏବଂ ଜଷ୍ଟିସ୍ କେ. ଏମ୍ ଜୋସେଫ୍ଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ଯୌତୁକ ନିର୍ଯାତନା ମାମଲାର ଶୁଣାଣିରେ କହିଛନ୍ତି, ଆଇପିସି ଧାରା ୪୯୮ ଏରେ କେଉଁଠାରେ ବି କୁହାଯାଇନାହିଁ କି ଅଭିଯୋଗ କେବଳ ପୀଡିତା ହିଁ କରିବ । ପୀଡିତାଙ୍କ ବ୍ୟତୀତ ତାଙ୍କ ସଂପର୍କୀୟ ମଧ୍ୟ ଅଭିଯୋଗ କରିପାରିବେ ।
ସୂଚନାଯୋଗ୍ୟ, ଚଳିତ ମାସରେ ବୈବାହିକ କଳହରେ ଫସିଥିବା ମହିଳାଙ୍କ ପାଇଁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏକ ଆଦେଶ ଦିଆଯାଇଛି । ଏବେ ଯୌତୁକ କିମ୍ବା ଅନ୍ୟ କୌଣସି ନିର୍ଯାତନା ବିରୋଧରେ ମହିଳା ଦେଶର କୌଣସି ବି ସ୍ଥାନରେ ଅଭିଯୋଗ କରିପାରିବେ । ସିଆରପିସିର ଧାରା ୧୭୭ ମୁତାବକ କୌଣସି ଅପରାଧିକ ମାମଲା ପାଇଁ କେଶ ଦାୟର ସେହିଠାରେ ହୋଇପାରିବ ଯେଉଁଠି ଘଟଣା ଘଟିଛି। ଧାରା ୪୯୮ ଏ ର ବ୍ୟବହାର ସେତେବେଳେ କରାଯାଏ ଯେତେବେଳେ ମହିଳାଙ୍କ ଶାଶୁଘରଲୋକ କିମ୍ବା ସ୍ୱାମୀ ତାଙ୍କୁ ଯୌତୁକ ପାଇଁ ହଇରାଣ କରନ୍ତି । ସୁପ୍ରିମକୋର୍ଟଙ୍କ ମୁତାବକ ଏଭଳି ମାମଲାରେ ଅନେକଥର ପୀଡିତା ମହିଳାଙ୍କୁ ଅଭିଯୋଗ କରିବା ପାଇଁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଥାଏ । ତେଣୁ ଏହି କ୍ଷେତ୍ର କୋର୍ଟ କହିଛନ୍ତି, ଏଣିକି ଯୌତୁକ ନିର୍ଯାତନା ମାମଲାରେ ଜଣେ ମହିଳା ଦେଶର ଯେ କୌଣସି ସ୍ଥାନରେ କରିପାରିବେ ଓ ତାଙ୍କ ଯେକୌଣସି ସମ୍ପର୍କୀୟ ମଧ୍ୟ ଏହି ଅଭିଯୋଗ କରିପାରିବେ ।