ପଞ୍ଚସୂତ୍ରୀ ନିୟମକୁ ଅବମାନନା

(ରଜନୀ କାନ୍ତ ପାତ୍ର / ହିଞିଳି) ; କରୋନା ଭୁତାଣୁ ସଂକ୍ରମଣର ଦ୍ୱିତୀୟ ଲହର ସମଗ୍ର ଦେଶବାସୀଙ୍କ ପାଇଁ ଆତଙ୍କ ସୃଷ୍ଟି କରିଛି । କରୋନାକୁ ମାତ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସଟଡ଼ାଉନ ଏବଂ ଲକଡ଼ାଉନ ଘୋଷଣା କରାଯାଇଛି । ସମ୍ପ୍ରତି ଲକଡ଼ାଉନ ସମୟରେ ସକାଳ ୬ଟାରୁ ୧୨ଟା ପର୍ୟ୍ୟନ୍ତ କେବଳ ଅତ୍ୟାବଶ୍ୟକ ସାମଗ୍ରୀର ଦୋକାନ ବଜାର ଖୋଲିବା ସକାଶେ ଅନୁମତି ପ୍ରଦାନ କରାଯାଇଛି । ମାସ୍କ ବ୍ୟବହାର ଓ ସାମାଜିକ ଦୁରତ୍ୱ ରକ୍ଷାକୁ ଗୁରୁତ୍ୱାରୋପ କରାଯାଇଛି । ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକୁ ପଞ୍ଚସୂତ୍ରୀ ନିୟମ ପାଳନ କରିବା ପାଇଁ କଡ଼ା ଚେତାବନି ଦିଆଯାଇଛି । ବୁଧବାର ସକାଳେ ସ୍ଥାନୀୟ ପୌରାଞ୍ଚଳ ପରିବା ବଜାରରେ ୨ ପରିବା ଦେକାନୀ କୋଭିଡ଼ ନିୟମକୁ ଉଲଂଘନ କରି ବ୍ୟବସାୟ କରୁଥିବାରୁ ସଂପୃକ୍ତ ୨ ପରିବା ଦୋକାନକୁ ସିଲ କରାଯାଇଛି । ଲକଡ଼ାଉନ ସମୟରେ ଚାହା, ପାନ ଦୋକାନ ବନ୍ଦ ରଖିବା ପାଇଁ ନିୟମ ରହିଥିବା ବେଳେ ସ୍ଥାନୀୟ ଲକ୍ଷ୍ମୀ ବଜାରର ଏକ ଚାହା ଦୋକାନୀ ଦୋକାନ ଖୋଲି ବ୍ୟବସାୟ କରୁଥିବା ଅଭିଯୋଗରେ ଦୋକାନୀ ମାଲିକଙ୍କ ଠାରୁ ଜରିମାନା ଆଦାୟ କରାଯିବା ସହ ସଂପୃକ୍ତ ଚାହା ଦୋକାନୀ ମାଲିକଙ୍କ ବିରୋଧରେ ପୌର କାର୍ୟ୍ୟ ନିର୍ବାହୀ ଅଧିକାରୀ ହିଞ୍ଜିଳି ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି । ଆଗାମୀ ଦିନରେ ପଞ୍ଚସୂତ୍ରୀ ନିୟମ ପାଳନ କରୁନଥିବା ଦୋକାନୀ ମାଳିକଙ୍କ ବିରୋଧରେ ଆଇନଗତ କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମାନେ କହିଛନ୍ତି । ଚଢାଉରେ ପୌର କାର୍ୟ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ, ବିଡ଼ିଓ ସୁବ୍ରତ କୁମାର ଜେନା, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ, ଏଏସଆଇ ବବିତା ଚୌଧୁରୀ, ହାବିଲଦାର ପ୍ରମୋଦ କୁମାର ଗନ୍ତାୟତ ପ୍ରମୁଖ ଉପସ୍ଥିତ ଥିଲେ ।