କୋଭିଡ ପରିଚାଳନାରେ ଅବ୍ୟବସ୍ଥା

(ବରଗଡ / ଚିତ୍ତରଞ୍ଜନ ସାହୁ) ; ବରଗଡ ଜିଲ୍ଲାରେ କରୋନା ସଂକ୍ରମଣ ଅଣାୟତ୍ତ ହୋଇପଡିଛି। ଏଠାରେ ଆକ୍ରାନ୍ତ, ମୃତକଙ୍କ ସଂଖ୍ୟା ବଢି ଚାଲିଛି। ଅନ୍ୟପଟେ ଜିଲ୍ଲାରେ କୋଭିଡ ପରିଚାଳନା ଅବ୍ୟବସ୍ଥିତ ହୋଇ ପଡିଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ନେଇ ସୋମବାର ବରଗ ଡ ସ୍ବେଚ୍ଛାସେବୀ ଅନୁଷ୍ଠାନ ସଂକଳ୍ପ ପରିବାର ଓ ପଶ୍ଚିମ ଓ ଯୁବାମଞ୍ଚର ସ୍ବେଚ୍ଛାସେବୀମାନେ ଅନଶନକୁ ଓହ୍ଲାଇଛନ୍ତି ।ସଂକଳ୍ପ ପରିବାରର ଜି ରମେଶ, ପଶ୍ଚିମ ଓ ଯୁବାମଞ୍ଚର ଅଜିତ ପତି ଅନଶନରେ ବସିଥିବା ବେଳେ ବହୁସଂଖ୍ୟକ ସ୍ବେଛାସେବୀ ସମର୍ଥନ ଜଣାଇ ସେଠାରେ ଉପସ୍ଥିତ ଅଛନ୍ତି। ଗୁରୁତର ଆକ୍ରାନ୍ତଙ୍କୁ ତୁରନ୍ତ ଚିକିତ୍ସା ଆରମ୍ଭ କରିବା, ଭେଷଜ, ନିଶ୍ଚେତକ, ଆଇସିୟୁ ବିଶେଷଜ୍ଞ, ନର୍ସ, ଫାର୍ମାସିଷ୍ଟ, ସହାୟକ, ସଫେଇ କର୍ମଚାରୀ ନିଯୁକ୍ତି, ସିଟି ସ୍କାନ, ଇସିଜି ସ୍ଥାପନ ସହିତ ୨୪ ଘଣ୍ଟିଆ ରକ୍ତଦାନ ବ୍ୟବସ୍ଥା, ଶଯ୍ୟା ସଂଖ୍ୟା ବୃଦ୍ଧି, ପ୍ଲାଜମା ବ୍ୟାଙ୍କ ଖୋଲିବା, କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କୁ ପ୍ଲାଜମା ଦାନ ପାଇଁ ଉତ୍ସାହିତ କରିବା ଏବଂ ଏଥିପାଇଁ ପଦସ୍ଥ ଅଧିକାରୀଙ୍କୁ ନିଯୁକ୍ତି କରିବା ପାଇଁ ଦାବି ହୋଇଛି। ସେହିପରି କରୋନା ଆକ୍ରାନ୍ତଙ୍କ ପରିଜନଙ୍କୁ ସୂଚନା ଦେବାକୁ ହସ୍ପିଟାଲରେ ସିସିଟିଭି ସଂଲଗ୍ନ ସହିତ ଏଲସିଡି ମାଧ୍ୟମରେ ସୂଚନା ବ୍ୟବସ୍ଥା, ଆକ୍ରାନ୍ତଙ୍କ ପରିଜନ ପାଇଁ ହସ୍ପିଟାଲ ପରିସରରେ ଆଶ୍ରୟସ୍ଥଳୀ, ଟିକାକରଣକୁ ସରଳୀକରଣ ଏବଂ ତଳିଆ କର୍ମଚାରୀଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ସ୍ବେଚ୍ଛାସେବୀମାନେ ଦାବି କରି ଅନଶନକୁ ଓହ୍ଲାଇଛନ୍ତି ।