ଭୁବନେଶ୍ୱର: କଟକ ଓଲଟପୁର ସ୍ଥିତ ନିରତାର ହସ୍ପିଟାଲର ହେବ ସୌନ୍ଦର୍ଯ୍ୟକରଣ । ମୁଖ୍ୟରାସ୍ତାରୁ ନିରତାରକୁ ସଂଯୋଗ କରୁଥିବା ରାସ୍ତା ଦୁଇ ଥାକିଆ କରାଯିବ । ପ୍ରତିଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଚିକିତ୍ସା ପାଇଁ ଶହ ଶହ ରୋଗୀ ଏଠାକୁ ଚିକିତ୍ସା ନିମନ୍ତେ ଆସିଥାନ୍ତି । ରୋଗୀମାନେ ଯେପରି ସୁବିଧାରେ ଏହି ପ୍ରତିଷ୍ଠାନର ସ୍ୱାସ୍ଥ୍ୟ ସେବାର ସୁଯୋଗ ପାଇପାରିବେ, ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଉନ୍ନୟନ କମିଶନର ପ୍ରଦୀପ ଜେନା ଓ ୫ଟି ସଚିବ ଭି କେ ପାଣ୍ଡିଆନ ଓଲଟପୁର ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିଲେ ।

ସେମାନଙ୍କ ସହିତ ପୂର୍ତ୍ତ ବିଭାଗ ସଚିବ ବୀର ବିକ୍ରମ ଯାଦବ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ଓ ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ଉଭୟ ସ୍ଥାନୀୟ ଲୋକ ଓ ରୋଗୀଙ୍କ ସହ ଆଲୋଚନା କରିଥିଲେ 5T ସଚିବ ଏବଂ ଉନ୍ନୟନ କମିଶନର ।

ଏହାସହ ବିଭିନ୍ନ ଓ୍ବାର୍ଡ ବୁଲି ରୋଗୀଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ ।ତେବେ ସ୍ଥାନୀୟ ଲୋକ ଓ ରୋଗୀମାନଙ୍କ ସହ ଆଲୋଚନା ପରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।ନିଷ୍ପତ୍ତି ଅନୁଯାୟୀ, ହସ୍ପିଟାଲ ପାଖ ଜମି ଅଧିଗ୍ରହଣ କରାଯାଇ ତାହାର ବିକାଶ କରାଯିବ । ଏହାସହ ରହଣୀ ନିମନ୍ତେ ଥିବା ହଷ୍ଟେଲ ଗୁଡ଼ିକୁ ଉନ୍ନତମାନର କରାଯିବ ।
