ଶ୍ରଦ୍ଧା ୱାକର ଅନ୍ତିମ ସତ୍କାରକୁ ଅପେକ୍ଷା କରି ଶେଷରେ ଚାଲିଗଲା ବାପାଙ୍କ ଜୀବନ..

ଝିଅର ଅନ୍ତିମ ସଂସ୍କାର ପାଇଁ ଅପେକ୍ଷା କରି କରି ଶେଷରେ ଚାଲିଗଲା ବାପାଙ୍କ ଜୀବନ । ୨୦୨୨ ମେ ରେ ଦିଲ୍ଲୀରେ ଘଟିଥିବା ଶ୍ରଦ୍ଧା ୱାକର ହତ୍ୟା ମାମଲା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଶ୍ରଦ୍ଧାଙ୍କୁ ତାଙ୍କ ଲିଭ୍-ଇନ୍ ପାର୍ଟନର୍ ଆଫତାବ ଅମିନ୍ ପୁନାୱାଲା ହତ୍ୟା କରିବା ପରେ ଖଣ୍ଡ ଖଣ୍ଡ କରି ଫ୍ରି‌ଜରେ ରଖିଥିଲା ଅଭିଯୁକ୍ତ। ଏହା ପରେ ତାକୁ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଫିଙ୍ଗି ଦେଇଥିଲା।

ଏହି ଘଟଣାକୁ ୩ବର୍ଷ ବିତିବାକୁ ବସିଥିବା ବେଳେ ଏପର୍ୟ୍ୟନ୍ତ ଶ୍ରଦ୍ଧାଙ୍କ ଅନ୍ତିମ ସଂସ୍କାର କରିପାରିନଥିଲେ ପରିବାର। କାରଣ ଶ୍ରଦ୍ଧାଙ୍କ ମାମଲା ଏଯାବତ ବିଚାରଧୀନ ଥିଲା । ତଦନ୍ତ ପାଇଁ ଶ୍ରଦ୍ଧାଙ୍କ ଅସ୍ତି ପୁଲିସ ପାଖରେ ଥିବାରୁ ପରିବାର ଏହାକୁ ପାଇବା ପାଇଁ ସଂଘର୍ଷ କରି ଚାଲିଥିଲେ। ଏବେ ସଂଘର୍ଷ କରି କରି ଏଦୁନିଆରୁ ଚାଲି ଯାଇଛନ୍ତି ଶ୍ରଦ୍ଧାଙ୍କ ବାପା। ହୃଦଘାତ ତାଙ୍କ ଜୀବନ ନେଇଥିବା ଜଣାପଡ଼ିଛି।

ବସାଇ ପୁଲିସ ଷ୍ଟେସନର ଅଧିକାରୀଙ୍କ ଅନୁଯାୟୀ, ୫୯ବର୍ଷୀୟ ବିକାଶ ୱାକରଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହୋଇଯିବାରୁ ତାଙ୍କ ପୁଅ ରବିବାର ପ୍ରତ୍ୟୁଷରେ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନେଇଯାଇଥିଲେ, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ। ହୃଦଘାତ ପାଇଁ ମୃତ୍ୟୁ ହୋଇଥିବା ନେଇ ଡାକ୍ତର ପ୍ରାଥମିକ ରିପୋର୍ଟରେ କହିଥିବା ବେଳେ ବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ସେ କହିଛନ୍ତି।