ପୁରୀ/ ସଞ୍ଜୟ ମହାପାତ୍ର : ଆର ପାରିରେ ପୁରୀ ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ତଥା ଗରାବଡୁ ନିଯୋଗର ସମ୍ପାଦକ ତଥା ଛତିଶାନିଯୋଗ ସଦସ୍ୟ ରଜତ୍ ପ୍ରତିହାରୀ। ଗତକାଲି ତାଙ୍କର ହୃଦଘାତ ହୋଇଥିଲା। ତାଙ୍କୁ ତୁରନ୍ତ ମୁମ୍ବାଇର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ 66 ବର୍ଷ ବୟସ ହୋଇଥିଲା। କିଛି ଦିନ ହେବ ସେ ଅସୁସ୍ଥ ଥିଲେ।ତେବେ ସ୍ୱର୍ଗତଃ ରଜତ୍ ପ୍ରତିହାରୀ ଶ୍ରୀମନ୍ଦିରରେ ଅନେକ ସଂସ୍କାରମୂଳକ ପଦକ୍ଷେପ ଆଣିବାକୁ ନିରନ୍ତର ଉଦ୍ୟମ ଜାରି ରଖିଥିଲେ। ଏହାସହ ଚନ୍ଦନଯାତ୍ରା, ସ୍ନାନଯାତ୍ରା, ରଥଯାତ୍ରା ଇତ୍ୟାଦି ପର୍ବପର୍ବାଣି କିଭଳି ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହେବ ଓ ମହାପ୍ରଭୁଙ୍କ ନୀତିକାନ୍ତି କିଭଳି ଶୃଙ୍ଖଳିତ ହେବ ଓ ଭକ୍ତମାନଙ୍କ ଦରକାର ମଧ୍ୟ କିଭଳି ଶୃଙ୍ଖଳିତ ହେବ ସେନେଇ ଲଗାତାର ପ୍ରୟାସ କରୁଥିଲେ। ବିଶେଷ କରି ସେବାୟତ କୂଳର ଝିଅମାନେ କିଭଳି ଆଗକୁ ବଢିବେ ଓ ସର୍ବାଙ୍ଗୀନ ଉନ୍ନତି କରାବେ ସେନେଇ ମଧ୍ୟ ସ୍ୱର୍ଗତଃ ପ୍ରତିହାରୀ ସବୁବେଳେ ଚେଷ୍ଟା କରୁଥିଲେ। ତାଙ୍କର ଅକାଳ ବିୟୋଗରେ ସେବାୟତ ମହଲରେ ଦୁଖର ଛାୟା ଖେଳିଯାଇଛି। ତାଙ୍କର ପାର୍ଥିବ ଶରୀରକୁ ପୁରୀ ସ୍ୱର୍ଗଦ୍ବାରରେ ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି।