ନାଳ ପାଣି ଭିତରୁ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

(ସୂର୍ୟ୍ୟକାନ୍ତ ବେହେରା/ମାଲକାନଗିରି): ମାଲକାନଗିରି କାଲିମେଳା ବ୍ଳକ କାଙ୍ଗୁରୁକୋଣ୍ଡା ପଞ୍ଚାୟତର ଏମପିଭି ୨୨ ଗ୍ରାମର ଅନାଥ ମଣ୍ଡଳ ନାମକ ଜଣେ ବ୍ୟକ୍ତି ଗାଈ ଚରାଇବାକୁ ଯାଇ ନିଖୋଜ ଥିଲେ । ରବିବାର ବହୁ ଖୋଜାଖୋଜି ପରେ ତାଙ୍କ ମୃତଦେହ କାଙ୍ଗୁରୁକୋଣ୍ଡା ଦେଇ ଯାଇଥିବା ନାଳ ପାଣି ଭିତରୁ ଉଦ୍ଧାର କରାଯାଇଛି । କାଲିମେଳା ପୋଲିସ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ପ୍ରାୟ ୪ ଘଣ୍ଟା ଖୋଜିବା ପରେ ମୃତ ଦେହକୁ ଉଦ୍ଧାର କରିଥିବା ଜଣାପଡିଛି । ସୁଚନା ଅନୁଯାୟୀ ଅନାଥ ମଣ୍ଡଳ ପ୍ରତ୍ୟେକ ଦିନ ଭଳି ରବିବାର ମଧ୍ୟ ସକାଳ ୧୦ଟା ସମୟରେ ନିଜ ଗାଁ ପଛପଟେ ଥିବା ଝରଣା ନିକଟବର୍ତ୍ତୀ ଜମିକୁ ଗାଈ ମାନଙ୍କୁ ଚରାଇବାକୁ ନେଇଥିଲେ । ତେବେ ଅପରାହ୍ନ ବେଳକୁ ଗାଈମାନେ ଘରକୁ ଫେରିଆସିଥିବା ବେଳେ ଅନାଥ କିନ୍ତୁ ଫେରି ନଥିଲେ । ଏନେଇ ପରିବାର ଲୋକ ଚିନ୍ତାରେ ପଡିଯାଇଥିଲେ । ପରେ ପରିବାର ଏବଂ ଗାଁ ଲୋକମାନେ ବହୁ ଖୋଜାଖୋଜି କରିଥିଲେ । କିନ୍ତୁ କୌଣସି ଖୋଜ ଖବର ପାଇନଥିଲେ । ପରେ ସଂନ୍ଧ୍ୟାରେ କାଲିମେଳା ଥାନାରେ ଜଣାଇଥିଲେ । ରବିବାର ସକାଳେ ଥାନା ଅଧିକାରୀ ସୁରଜ କୁମାର ଝାଙ୍କରଙ୍କ ନେତୃତ୍ବରେ ଅନ୍ୟାନ୍ୟ ପୋଲିସ କର୍ମଚାରୀ ମାନଙ୍କ ସହ ଅଗ୍ନିଶମ କର୍ମଚାରୀ ମାନେ ନାଳ ପାଣି ଏବଂ ଜଙ୍ଗଲ ଭିତରେ ଖୋଜିଥିଲେ । ଶେଷରେ ତାଙ୍କ ମୃତ ଦେହ ପାଣିରେ ଭାସୁଥିବା ଅବସ୍ଥାରେ ଦେଖିବାକୁ ପାଇଥିଲେ । ତେବେ ଅନାଥଙ୍କର ପାଣିରେ ବୁଡି ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ କୁହାଯାଇଛି । ତେବେ କାଲିମେଳା ମେଡିକାଲକୁ ତାଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା । ରିପୋର୍ଟ ଆସିଲେ ହିଁ ସତ୍ୟତା ଜଣାପଡିବ ବୋଲି ଥାନା ଅଧିକାରୀ ଶ୍ରୀ ଝାଙ୍କର ସୁଚନା ଦେଇଛନ୍ତି । ଏନେଇ କାଲିମେଳା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । ଫାଣ୍ଡି ଅଧିକାରୀ ମନୋହର ସାହୁ ଏହାର ତଦନ୍ତ କରୁଛନ୍ତି ।