(ଶିଳାସ୍ମିତା ରାୟ) ଭୁବନେଶ୍ୱର: ୨୦୧୩ ଅଗଷ୍ଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହରିଶ୍ଚନ୍ଦ୍ର ଯୋଜନାର ଶୁଭାରମ୍ଭ କରିଥିଲେ । ଉଦ୍ଦେଶ୍ୟ ଥିଲା, ଗରିବ, ନିରାଶ୍ରୟ ଲୋକଙ୍କ ଅନ୍ତିମ କ୍ରିୟା ପାଇଁ ଆର୍ଥିକ ସହଯୋଗ ଯୋଗାଇଦେବା ଓ ମୃତଦେହ ବୋହି ନେବାକୁ ମହାପ୍ରୟାଣ ଗାଡି ପ୍ରଚଳନ କରିଥିଲେ । କିନ୍ତୁ ଯୋଜନାକୁ ୬ ବର୍ଷ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଲୋକେ ଏହାର ସୁଫଳ ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି । କେଉଁଠି ଯୋଜନା ଜମାରୁ ମିଳୁନି ତ ପୁଣି କେଉଁଠି ଅନ୍ୟାନ୍ୟ ସରକାରୀ ଯୋଜନାର ବିଫଳତା ପାଇଁ ଯୋଜନା ପୂର୍ଣ୍ଣାଙ୍ଗ ରୂପ ନେଇ ପାରୁ ନାହିଁ । ତେଣୁ ଗରିବ ଅସହାୟ ମଣିଷଟି ତାର ଆତ୍ମୀୟ ସ୍ୱଜନଙ୍କୁ ହରାଇବା ପରେ ଅନେକ ସମୟରେ ମୃତଦେହକୁ କାନ୍ଧରେ କାନେ୍ଧଇ, ସାଇକେଲରେ ବାନ୍ଧି ନେବାକୁ ବାଧ୍ୟ ହେଉଛି । ଏମିତି ଏକ ଘଟଣା ପୁଣି ଘଟିଛି କଳାହାଣ୍ଡି ଜିଲ୍ଲାରେ ।
କଳାହାଣ୍ଡି ଜିଲ୍ଲା ଥୁଆମୂଳ-ରାମପୁର ବ୍ଲକ୍ ସିଲେଟ୍ ପଚଂ।ୟତ ଅନ୍ତର୍ଗତ ରୁପେନ ଗ୍ରାମର ଲକ୍ଷ୍ମୀ ମାଝୀଙ୍କୁ ପ୍ରସବ ବେଦନା ଆରମ୍ଭ ହେବା ପରେ ଭବାନୀପାଟଣା ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ସେ ଏକ ପୁତ୍ର ସନ୍ତାନ ଜନ୍ମଦେଇ ଆରପାରିକୁ ଚାଲିଯାଇଥିଲେ । ମୃତଦେହକୁ ଗାଁକୁ ନେବାକୁ ମହାପ୍ରୟାଣ ଗାଡି ଯୋଗାଇ ଦିଆଗଲା । କିନ୍ତୁ ଖରାପ ରାସ୍ତା ପାଇଁ ମହାପ୍ରୟାନ ଗାଡି କେରପାଇ ପଚଂ।ୟତରୁ ଆଗକୁ ଯାଇପାରି ନ ଥିଲା । ତେଣୁ ସେଠାରୁ ୧୦ କିଲୋମିଟର ପର୍ଯ୍ୟନ୍ତ ମୃତଦେହକୁ ସମ୍ପର୍କୀୟମାନେ ଭାର କରି ପଟ୍ଟା ନଦୀର ଭଗଂ। ପୋଲ ପାର କରି ନେବାକୁ ବାଧ୍ୟ ହୋଇଥିଲେ । ଅନ୍ୟ ପଟେ ନବଜାତ ଶିଶୁଟିର ଅବସ୍ଥା ଗମ୍ଭୀର ହୋଇଯାଇଛି । ପରିବାର ବର୍ଗ ମୃତକର ଅନ୍ତିମ ସଂସ୍କାର କରିବେ ନା ଦୁନିଆକୁ ଆସିଥିବା ନବାଗତର ଚିକିତ୍ସା କରିବେ ତାହାକୁ ନେଇ ଚିନ୍ତାରେ ।
ଗତ ମାସରେ ନୟାଗଡ ଜିଲ୍ଲାରେ ଜଣେ ପ୍ରସୂତୀଙ୍କୁ ଭାରରେ ବୋହି ହସ୍ପିଟାଲ ନିଆଯାଇଥିଲା । ଅନ୍ୟ ଏକ ଘଟଣାରେ ସ୍ୱାମୀ କାନ୍ଧରେ ବୋହି ସ୍ତ୍ରୀର ଶବକୁ ହସ୍ପିଟାଲରୁ ଘରକୁ ଆଣିଥିଲା । ଅନେକ ସ୍ଥାନରେ ରାସ୍ତା ନ ଥିବାରୁ ଲୋକେ ଆମ୍ବୁଲାନ୍ସ ଓ ମହାପ୍ରୟାନ ଗାଡିର ସୁବିଧା ପାଇ ପାରୁ ନାହାନ୍ତି । ଶାସନର ୨୦ ବର୍ଷ ବିତିଯାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଗମନା ଗମନ ପରି ମୌଳିକ ସୁବିଧା ଲୋକଙ୍କୁ ଯୋଗାଇ ନ ଦେଇ ଲୋକଙ୍କୁ ବିଭିନ୍ନ ଯୋଜନା ପ୍ରଣୟନ କରି ଭୂଆଁ ବୁଲାଇ ପଚାରୁଛନ୍ତି ଆପଣମାନେ ଖୁସୀ ତ?