ଆଜି ଶ୍ରୀଜିଉଙ୍କୁ ହେବ ଓଷୁଅ ଲାଗି

୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଅଣସର ଘରେ ଜ୍ୱରରେ ପୀଡିତ ଅଛନ୍ତି ଶ୍ରୀଜିଉ।

(ପୁରୀ) : ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଅଣସର ଘରେ ଜ୍ୱରରେ ପୀଡିତ ଅଛନ୍ତି ଶ୍ରୀଜିଉ। ଶ୍ରୀଜିଉଙ୍କ ଜ୍ୱର ଉପଶମ ପାଇଁ ଶ୍ରୀମନ୍ଦିରରେ ଗୁପ୍ତ ସେବା ଜାରି ରହିଛି। ଆଜିଠାରୁ ନବମୀ ତିଥି ପର୍ଯ୍ୟନ୍ତ ଅର୍ଥାତ ତିନିଦିନ ଧରି ମହାପ୍ରଭୁଙ୍କ ଠାରେ ଓଷୁଅ ଲାଗି ହେବାର ଵିଧି ରହିଛି । ଗତକାଲି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଫୁଲୁରୀ ତେଲ ଲାଗି ହେବା ପରେ ସାମାନ୍ୟ ସୁସ୍ଥ ହୋଇଛନ୍ତି ମହାପ୍ରଭୁ।

ଆଜି ମଧ୍ୟାହ୍ନ ଧୂପ ପରେ ସୁଦ୍ଧଶୁଆର ମାନେ ପ୍ରସ୍ତୁତ କରିଥିବା ଝୁଣା, ତେଲ ଓ ବିଭିନ୍ନ ଚେର ମୂଳିରେ ପ୍ରସ୍ତୁତ ଔଷଧକୁ ଦଇତାପତି ସେବକମାନେ ଶ୍ରୀଜିଉଙ୍କ ଅଙ୍ଗରେ ଲଗାଇବେ। ଷଷ୍ଠୀ ଠାରୁ ନବମୀ ତିଥି ପର୍ଯ୍ୟନ୍ତ ଏହି ଔଷଧ ଲାଗି କରାଯିବ। ଫଳରେ କିଛି ମାତ୍ରାରେ ଶ୍ରୀଜିଉ ଜ୍ୱରରୁ ଉପଶମ ପାଇବେ। ଦଶମୀ ଦିନ ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ମୋଦକ ଖାଇବା ପରେ ମହାପ୍ରଭୁ ସମ୍ପୂର୍ଣ୍ଣ ଉପଶମ ହେବେ ।

ସେପଟେ ଷଷ୍ଠ ଦିନରେ ମହାପ୍ରଭୁ ଅଲାରନାଥଙ୍କ ଅନବସର ଦର୍ଶନ। ଆଜି ଭୋର ୪ଟାରେ ମହାପ୍ରଭୁଙ୍କ ଦ୍ୱାର ଫିଟା ଯାଇ ୪ଟା ୧୫ରେ ମଙ୍ଗଳ ଆଳତୀ ହୋଇଥିଲା। ଆଜି ମଙ୍ଗଳ ଆଳତୀ ଦେଖିବାକୁ ଭକ୍ତଙ୍କ ଭିଡ଼ ହୋଇଥିଲା। ତେବେ ଅଲାରନାଥ ପୀଠରେ ନାରାୟଣଙ୍କୁ ଦର୍ଶନ କରୁଛନ୍ତି ଜଗନ୍ନାଥ ଭକ୍ତ ।