ଯୁବକଙ୍କୁ ଥାର୍ଡ ଡିଗ୍ରୀ, ୩ ପୋଲିସ ବାବୁ ନିଲମ୍ବିତ

ଯାଜପୁର: ବାଲିଚନ୍ଦ୍ରପୁର ଥାନା ହାଜତରେ ଯୁବକଙ୍କୁ ନିର୍ଯାତନା ଘଟଣା । ୩ ଜଣ ପୋଲିସ ବାବୁଙ୍କୁ ସସ୍‌ପେଣ୍ଡ କଲେ ଯାଜପୁର ଏସ୍‌ପି ୟସ ପ୍ରତାପ ଶ୍ରୀମଲ । ବାଲିଚନ୍ଦ୍ରପୁର ଥାନାର SI, ASI ଓ ଜଣେ କନେଷ୍ଟବଳଙ୍କୁ ନିଲମ୍ବିତ କରାଯାଇଛି । ସେପଟେ କିନ୍ତୁ ହାଜତରେ ନିର୍ଯାତନା ଅଭିଯୋଗକୁ ବାଲିଚନ୍ଦ୍ରପୁର ଥାନା ଅଧିକାରୀ ଖଣ୍ଡନ କରିଛନ୍ତି । ବାଲିଚନ୍ଦ୍ରପୁର ଥାନା ଅଧୀନ ଅଣକା ପଞ୍ଚାୟତ ମହିପୁର ଗ୍ରାମର ରବୀନ୍ଦ୍ର ମଲ୍ଲିକ ଏକ ଘଟଣାକୁ ନେଇ ଥାନାକୁ ଲିଖିତ ଅଭିଯୋଗ କରିବା ପାଇଁ ଯାଇଥିଲେ। ହେଲେ ରବୀନ୍ଦ୍ରଙ୍କ ନାମରେ ପୂର୍ବରୁ ଲିଖିତ ଅଭିଯୋଗ ଥିବାରୁ ପୋଲିସ ତାଙ୍କୁ ଅଟକ ରଖିଥିଲା । ସେହି ଦିନ ଯୁବକ ଜଣଙ୍କ ଥାନାରେ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ କଟକ ବଡ଼ ମେଡିକାଲ ପଠାଇ ଦେଇଥିଲା ପୋଲିସ । ପୁଅକୁ ଭେଟିବା ପାଇଁ ପରିବାର ଲୋକେ ଥାନାକୁ ଆସିଥିଲେ ସୁଦ୍ଧା ପୋଲିସ ଭେଟ କରେଇ ଦେଇନଥିଲ। । ପରିବାର ଲୋକେ କଟକ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ପୁଅକୁ ଦେଖିବାକୁ ପାଇଥିଲେ । ରବୀନ୍ଦ୍ରଙ୍କୁ ଥାନାରେ ମାଡ ମରାଯାଇ ଥିବା ସହ ତାଙ୍କୁ ବିଷ ପିଆଇ ଦେଇଥିବା ପରିବାର ଲୋକେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ଅନ୍ୟପଟେ ବାଲିଚନ୍ଦ୍ରପୁର ଥାନା ଅଧିକାରୀ ଘଟଣାକୁ ଖଣ୍ଡନ କରିଛନ୍ତି  । ସମସ୍ତ ଘାଟଣା ସିସିଟିଭିରେ କଏଦ ହୋଇଛି । ଯୁବକଙ୍କ ଦେହ ଖରାପ ହେବାରୁ ତାଙ୍କୁ କଟକ ମେଡିକାଲ ପଠାଯାଇଛି ଏବଂ ତାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଅଛି ବୋଲି ପୋଲିସ କହିଛି । ଅନ୍ୟପଟେ ନ୍ୟାୟ ଦାବୀ କରିଛନ୍ତି ପରିବାର ଲୋକେ ।