(ରଜଜନୀ କାନ୍ତ ପାତ୍ର / ହିଞିଳି) ; ବ୍ରହ୍ମପୁରରେ ଏକ ମାଲବାହୀ ଟ୍ରେନ ଆଜି ଗୋପାଳପୁର ଜଙ୍କସନ ନିକଟରେ ବିଚ୍ଛିନ୍ନ ହୋଇ ଦୁଇଭାଗ ହୋଇ ଯାଇଥିଲା। ମାଲବାହୀ ଟ୍ରେନର ଦୁଇଟି ବଗିର ସଂଯୋଗ ସ୍ଥାନ(କପ୍ଲିଙ୍ଗ) ଛିଣ୍ଡି ଯିବାରୁ ଇଞିନ ସହିତ ପ୍ରାୟ ୨୯ଟି ବଗି ଆଗକୁ ଚାଲି ଯାଇଥିଲା। ପ୍ରାୟ ୨୫ଟି ବଗି ଅଧାରାସ୍ତାରେ ରହି ଯାଇଥିଲା। ଏ ନେଇ ଗୁଡସ ଗାର୍ଡ଼ ତୁରନ୍ତ ପାଇଲଟଙ୍କୁ ମେସେଜ ମାଧ୍ୟମରେ ସୂଚନା ଦେଇଥିଲେ । ଏହାପରେ ପାଇଲଟ ଟ୍ରେନ ରଖି ପଛକୁ ଫେରିଥିଲେ। ଉଭୟ ବଗି ସଂଯୋଗ କରିବା ପରେ ପୁଣିଥରେ ଟ୍ରେନ ତା’ର ଗନ୍ତବ୍ୟସ୍ଥଳ ଆଡ଼କୁ ବାହାରିଥିଲା। ଏହି ଘଟଣା ପାଇଁ ଛତ୍ରପୁର ରେଳ ଷ୍ଟେସନରେ କୋଣାର୍କ ଏକ୍ସପ୍ରେସ୍ ଟ୍ରେନ ପ୍ରାୟ ୧ଘଣ୍ଟା ୧୫ମିନିଟ ପର୍ୟ୍ୟନ୍ତ ଅଟକ ରହିଥିଲା। ବର୍ତ୍ତମାନ ଏହି ଟ୍ରାକରେ ଟ୍ରେନ ଚଳାଚଳ ସ୍ବାଭାବିକ ରହିଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ।ତାଲଚେରରୁ କୋଇଲା ବୋଝେଇ କରି ଏକ ମାଲବାହୀ ଟ୍ରେନ ବିଶାଖାପାଟଣା ଅଭିମୁଖେ ଯାଉଥିଲା। ଟ୍ରେନଟି ଗୋପାଳପୁର ଜଙ୍କସନ ଦେଇ ବ୍ରହ୍ମପୁର ଷ୍ଟେସନ ପଟେ ଆସୁଥିବା ବେଳେ ହଠାତ ମଝିରୁ ଦୁଇଭାଗ ହୋଇ ଯାଇଥିଲା। ବଗି ସଂଯୋଗ ଛିଣ୍ଡି ଯିବାରୁ ଏଭଳି ଘଟଣା ଘଟିଥିଲା।