ଫୁଲବାଣୀ ଯୁବକଙ୍କୁ କରୋନା ଆକ୍ରାନ୍ତ ହୋଇଥିବା ସନ୍ଦେହରେ ପୁଣେ ପଠାଯିବ ରକ୍ତ ନମୁନା

(ରିପୋର୍ଟସ ଟୁଡ଼େ)ଭୁବନେଶ୍ୱର: ଗତକାଲି ଓଡ଼ିଶାର କନ୍ଧମାଳ ଜିଲ୍ଲା ଫୁଲବାଣୀର ଜଣେ ଡାକ୍ତରୀ ଛାତ୍ର କରୋନା ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଇଛି । ଫୁଲବାଣୀର ଡାକ୍ତରୀ ଛାତ୍ରଜଣକ ଚୀନରେ ଏସବିବିଏସ ପଢୁଥିଲେ । ସେ ଚୀନରୁ ଅସୁସ୍ଥ ହୋଇ କିଛି ଦିନ ତଳେ ଅର୍ଥାତ ଗତ ୧୧ ତାରିଖରେ ଫୁଲବାଣୀ ଫେରିଥିବା ସୂଚନା ମିଳିଛି । ତେବେ ଘରକୁ ଫେରିବା ଦିନ ଠାରୁ କାଶ, ଥଣ୍ଡା ଛାଡ଼ୁ ନଥିବାରୁ ସେ କରୋନା ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି । କରୋନା ସନ୍ଦେହ କରି ନିଜେ ଛାତ୍ରଜଣକ ସିଡିଏମଓଙ୍କୁ ଚିଠି ଲେଖିଥିଲେ ।
ତେବେ ଗତକାଲି ଫୁଲବାଣୀ ଯୁବକ କରୋନା ଭାଇରସ ଆକ୍ରାନ୍ତ ସନ୍ଦେହରୁ ତାଙ୍କୁ କଟକ ମେଡିକାଲରେ ଭର୍ତ୍ତି କରାଯାଇଛି । ଚୀନ ଫେରନ୍ତା ଫୁଲବାଣୀର ଡାକ୍ତରୀ ଛାତ୍ରଙ୍କୁ କଟକ ଏସସିବିର ସନ୍ଦିଗ୍ଧ କରୋନା ୱାର୍ଡ଼ରେ ରଖାଯାଇଛି । କରୋନା ପରୀକ୍ଷା ପାଇଁ ପୁଣେର ଏନଆଇଭିକୁ ରକ୍ତ ନମୁନା ପଠାଯିବ ।