ଏବେ ନିଜେ କରି ପାରିବେ କରୋନା ଯାଞ୍ଚ, ଶୀଘ୍ର ବଜାରରେ ଉପଲବ୍ଧ ହେବ ଟେଷ୍ଟିଂ କିଟ୍

ନୂଆଦିଲ୍ଲୀ : ଏବେ କରୋନା ଯାଞ୍ଚ ପାଇଁ ଆପଣଙ୍କୁ ନା ସ୍ଵାସ୍ଥ୍ୟ କେନ୍ଦ୍ର ଯିବାକୁ ପଡିବ ନା ନମୂନା ସଂଗ୍ରହ ପାଇଁ କାହାକୁ ଘରକୁ ଡକାଇବା ଆବଶ୍ୟକତା ପଡିବ। ଆପଣ ନିଜେ ସହଜରେ କରୋନା ଯାଞ୍ଚ କରି ପାରିବେ। ଘରେ କୋଭିଡ୍ ଯାଞ୍ଚ ପାଇଁ ପ୍ରଥମ ଟେଷ୍ଟିଂ କିଟ୍ କୋଭିସେଲ୍ଫ ଆଗାମୀ ସପ୍ତାହ ଶେଷ ସୁଦ୍ଧା ବଜାରରେ ଉପଲବ୍ଧ ହୋଇଯିବ। ପୁଣେର ମାୟ ଲ୍ୟାବ୍‌ ଡିସ୍କଭରୀ ସଲ୍ୟୁସନର ନିର୍ଦ୍ଦେଶକ ସୁଜିତ ଜୈନ ଗୁରୁବାର ଏହାର ସୂଚନା ଦେଇଛନ୍ତି।

ଏହା ପ୍ରଥମ  ହୋମ ଟେଷ୍ଟିଂ କିଟ୍ ଯାହାକୁ ଦେଶରେ ବ୍ୟବହାର ପାଇଁ ଇଣ୍ଡିଆନ କାଉନସିଲ  ଅଫ ମେଡିକାଲ ରିସର୍ଚ୍ଚ(ଆଇସିଏମଆର) ମଞ୍ଜୁରୀ ଦେଇଛି। ଉତ୍ପାଦକ ଦେଶରେ ୯୦ ପ୍ରତିଶତ ପିନ୍ କୋଡ୍ ଏରିଆ ପର୍ଯ୍ୟନ୍ତ ପହଞ୍ଚିବାକୁ ଲକ୍ଷ୍ୟ ରଖିଛନ୍ତି। ଏହାକୁ ଅନଲାଇନ୍‌ରେ ମଧ୍ୟ କିଣାଯାଇ ପାରିବ। ସୁଜିତ ଜୈନ କହିଛନ୍ତି, ଆଗାମୀ ସପ୍ତାହ ଶେଷ ସୁଦ୍ଧା ୭ ଲକ୍ଷ ଦୋକାନ ଏବଂ ଅନଲାଇନ୍ ଫାର୍ମାସୀଙ୍କ ପାଖରେ ଏହି କିଟ୍ ଉପଲବ୍ଧ  ହୋଇଯିବ।

କିଟ୍‌ର ମୂଲ୍ୟ ୨୫୦ ଟଙ୍କା ରଖାଯାଇଛି। ଏଥିରେ ଟ୍ୟାକ୍ସ ମଧ୍ୟ ସାମିଲ। କିଟ୍ ସହିତ ଏକ ମାନୁଆଲ ରହିବ, ଯେଉଁଥିରେ ବିନା କୌଣସି ସ୍ଵାସ୍ଥ୍ୟକର୍ମୀଙ୍କ ସହାୟତାରେ ଆପଣ କେମିତି କରୋନା ଯାଞ୍ଚ କରି ପାରିବେ ତାର ସବିଶେଷ ସୂଚନା ଉଲ୍ଲେଖ ରହିବ। ଏହା ଏକ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କିଟ୍। ଏଥିରେ କେବଳ ନାକରୁ ସଂଗୃହୀତ ନମୂନା ଯାଞ୍ଚ କରାଯାଇ ପାରିବ। ରିପୋର୍ଟ ବହୁତ ଶୀଘ୍ର ଆସିଯିବ। ଯଦି ରିପୋର୍ଟ ୨୦ ମିନିଟ୍‌ ପରେ ଆସେ ତେବେ ଏହାକୁ ଅବୈଧ ଧରାଯିବ।