ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟରେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କରୋନା ସମୀକ୍ଷା

(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ଦିଗପହଣ୍ଡି ସହରରେ କରୋନା ସ୍ଥିତି ବେଳକୁ ବେଳ ବିଗିଡିବାରେ ଲାଗିଛି । ଗତ କିଛିଦିନ ମଧ୍ୟରେ ସହରର ବହୁ ସଂଖ୍ୟକ ସରକାରୀ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ବ୍ୟବସାୟୀ ମାନଙ୍କ କରୋନା ଜନିତ ମୃତ୍ୟୁ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ଆଜି ଅପରାହ୍ନରେ ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ ଦିଗପହଣ୍ଡି ତହସିଲ କାର୍ୟ୍ୟାଳୟରେ ପହଞ୍ଚି କୋଭିଡ଼ -୧୯ ନିୟନ୍ତ୍ରଣ କାର୍ୟ୍ୟକ୍ରମର ସମୀକ୍ଷା କରିଥିଲେ। ପରେ ସେ ତହସିଲ କାର୍ୟ୍ୟାଳୟ ସମ୍ମୁଖରେ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ବ୍ୟବସାୟୀ ସଂଘର ମିଳିତ ସଭାରେ ଭାଗ ନେଇ କରୋନା ମୁକାବିଲାର ରଣନୀତି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। କୌଣସି ବ୍ୟବସାୟୀ କୋଭିଡ଼ ନିୟମ ଉଲ୍ଲଂଘନ କଲେ ସେମାନଙ୍କ ବିରୁଦ୍ଧରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ତାଗିଦ୍ କରିଥିଲେ। ଏହାସହ ଆଖପାଖ ଗ୍ରାମାଞ୍ଚଳ ମାନଙ୍କରେ କେହି ଜ୍ବର କିମ୍ବା ଅନ୍ୟ କିଛି ରୋଗରେ ସଂକ୍ରମିତ ହେଲେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକରେ ସଠିକ ଚିକିତ୍ସା ପାଇ ପାରୁନଥିବାରୁ ଲୋକଙ୍କ ପାଇଁ ଖୁବଶୀଘ୍ର ପଦକ୍ଷେପ ନିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ଏହି ଆଲୋଚନା ସଭାରେ ତହସିଲଦାର ଅଦ୍ଵୈତ କୁମାର ସ୍ବାଇଁ, ବିଡ଼ିଓ ହଳଧର ଶବରଙ୍କ ସମେତ ଏନ୍ଏସି କାର୍ୟ୍ୟ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ, କୋଭିଡ – ୧୯ ବ୍ଳକ ନୋଡାଲ ଅଧିକାରୀ ରାଜକିଶୋର ପଟ୍ଟନାୟକ, ବ୍ୟବସାୟୀ ସଂଘର କାର୍ୟ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ।