ଜୟପୁର : ରାଜସ୍ଥାନର ଜୟପୁରରେ ଶୁକ୍ରବାର ସକାଳେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଜୟପୁରର ଆଜମେର ରୋଡ ନିକଟରେ ଏକ ସିଏନଜି ଟ୍ରକ ଅନ୍ୟ ଏକ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହେବା ପରେ ବିସ୍ଫୋରଣ ଘଟି ଚାରିଆଡେ ନିଆଁ ଲାଗିଯାଇଥିଲା। ଏହି ଦୁର୍ଘଟଣାରେ ୬ ଜଣ ଜୀବନ୍ତ ଦଗ୍ଧ ହୋଇଥିଲେ ଏବଂ ପ୍ରାୟ ୪୦ ଜଣ ଲୋକ ଜଳି ଯାଇଥିଲେ। କେବଳ ଏତିକି ନୁହେଁ ୪୦ଟି ଗାଡି ମଧ୍ୟ ପାଉଁଶ ହୋଇଯାଇଥିଲା। ଏହି ଯାନଗୁଡିକରେ ଯାତ୍ରୀ ଥିଲେ, ଯେଉଁମାନେ କୌଣସି ପ୍ରକାରେ ସେମାନଙ୍କ ଜୀବନ ରକ୍ଷା କରିଥିଲେ।
ସୂଚନା ଅନୁଯାୟୀ ପ୍ରଥମେ ସିଏନଜି ଟ୍ରକ ଏବଂ ଅନ୍ୟ ଏକ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଭୟଙ୍କର ଧକ୍କା ପରେ ସିଏନଜି ଟ୍ରକରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା । ଏହା ପରେ ଗୋଟିଏ ପରେ ଗୋଟିଏ ଅନେକ ବିସ୍ଫୋରଣ ଘଟିଥିଲା । ନିକଟସ୍ଥ ଯାନବାହାନ ମଧ୍ୟ ଏହା ଦ୍ୱାରା ଧକ୍କା ହୋଇଥିଲା । ୪୦ ରୁ ଅଧିକ ଗାଡିରେ ନିଆଁ ଲାଗିଯାଇଥିଲା । ଏହି ଦୁର୍ଘଟଣାରେ ଅନେକ ଲୋକ ପୋଡି ପାଉଁଶ ହୋଇଯାଇଛନ୍ତି । ଏହି ଦୁର୍ଘଟଣାରେ ଏକ ବସ୍ ରେ ମଧ୍ୟ ନିଆଁ ଲାଗିଯାଇଛି । ଯାତ୍ରୀମାନେ କୌଣସି ପ୍ରକାରେ ବସରୁ ଓହ୍ଲାଇ ସେମାନଙ୍କ ଜୀବନ ରକ୍ଷା କରିଥିଲେ । ନିଆଁରେ ପୋଡିଯାଇଥିବା ଲୋକଙ୍କୁ ଡାକ୍ତରଖାନା ନିଆଯାଇଛି । ଗାଡିରେ ଫସି ରହିଥିବା ଲୋକଙ୍କୁ ଫାୟାର ଫାଇଟର୍ସ, ସିଭିଲ ଡିଫେନ୍ସ ପୋଲିସ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ବାହାରକୁ ନିଆଯାଇଥିଲା । ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନେକ ଆହତ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଶୁକ୍ରବାର ସକାଳ ୫:୩୦ ସମୟରେ ଭାନ୍କ୍ରୋଟାସ୍ଥିତ ଏକ ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏପରି ଭାବେ ଅନେକ ଗାଡିରେ ନିଆଁ ଲାଗିଯାଇଛି । ଗାଡିରେ ନିଆଁ ଲିଭାଇବାକୁ ପୋଲିସ ଏବଂ ଅଗ୍ନିଶମ ବିଭାଗ ଚେଷ୍ଟା କରୁଛନ୍ତି । ଆଖପାଖରେ ଥିବା ଗ୍ୟାସ୍ ଟ୍ୟାଙ୍କରଗୁଡ଼ିକ ନିଆଁ ଦ୍ୱାରା କବଳିତ ହେବାରୁ ଏହାର ଭୟାବହତା ବଢ଼ିବାରେ ଲାଗିଛି । ଏଥିଯୋଗୁ ଜୟପୁର ଏକ୍ସପ୍ରେସ୍ ହାଇୱେ ପୂରା ଜାମ୍ ହୋଇଯାଇଛି ।