ଭୁବନେଶ୍ୱର: ପ୍ରଖ୍ୟାତ ଅଭିନେତ୍ରୀ ନନ୍ଦିତା ଦାସଙ୍କ ନିର୍ଦ୍ଦେଶିତ ତଥା ବିଶିଷ୍ଟ ଅଭିନେତା କପିଲ ଶର୍ମାଙ୍କ ଅଭିନୀତ ‘ଜ୍ୱିଗାଟୋ’ ଫିଲ୍ମ ଉପରୁ ରାଜ୍ୟ ସରକାର ପ୍ରମୋଦ କର ଛାଡ କରିଛନ୍ତି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି ।ସୂଚନାଯୋଗ୍ୟ ଯେ ଜଣେ Food delivery rider ଓ ତାଙ୍କ ପରିବାରର ସଂଘର୍ଷପୂର୍ଣ୍ଣ ଜୀବନକୁ ନେଇ ‘ଜ୍ୱିଗାଟୋ’ ଫିଲ୍ମ ନିର୍ମିତ ହୋଇଛି । ହିନ୍ଦୀଭାଷାରେ ନିର୍ମିତ ଏହି ଫିଲ୍ମଟି ସଂପୂର୍ଣ୍ଣ ଭାବରେ ଭୁବନେଶ୍ୱରରେ ହିଁ ସୁଟିଂ କରାଯାଇଛି ।ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ନବୀନ ନିବାସ ଠାରେ ଜ୍ବିଗାଟୋ ଚଳଚ୍ଚିତ୍ରର ସ୍ବତନ୍ତ୍ର ଉପସ୍ଥାପନା (screening) କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।ଓଡିଶାରେ ଯେପରି ଅଧିକରୁ ଅଧିକ ବ୍ୟବସାୟୀକ ଚଳଚ୍ଚିତ୍ର ସୁଟିଂ କରାଯାଇ ପାରିବ ସେଥିପାଇଁ ରାଜ୍ୟ ସରକାର ଅନୁକୂଳ ନୀତି କାର୍ଯ୍ୟକାରୀ କରୁଛନ୍ତି ଏବଂ ଏ ଦିଗରେ ଚଳଚ୍ଚିତ୍ର ଶିଳ୍ପକୁ ମଧ୍ୟ ଉତ୍ସାହିତ କରୁଛନ୍ତି । ଏହା ଦ୍ୱାରା ରାଜ୍ୟର ପର୍ଯ୍ୟଟନ ବିକାଶ ହେବା ସହିତ ପ୍ରତିଭାବାନ ଯୁବକ ଯୁବତୀମାନଙ୍କ ପାଇଁ ନିଯୁକ୍ତିର ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।ଏତଦବ୍ୟତୀତ ଭୁବନେଶ୍ୱରରେ ‘ଜ୍ୱିଗାଟୋ’ ଚଳଚ୍ଚିତ୍ର ସଂପୂର୍ଣ୍ଣ ସୁଟିଂ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶିକା ନନ୍ଦିତା ଦାସଙ୍କ ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିଥିଲେ।