ସମ୍ବଲପୁର: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଗନ୍ତିଆ ହସ୍ପିଟାଲର ଡାକ୍ତର ୧୦ ମାସର ଛୁଆକୁ ଏକ୍ସପାରୀ ଟିକା ଦେଇଥିବା ନେଇ ପିଲାର ବାପା ରାଜେଶ କୁମାର ସାହୁ କୁଚିଣ୍ଡା ଥାନାରେ ଅଭିଯୋଗ କରିଛନ୍ତି। ହସ୍ପିଟାଲର ଡାକ୍ତର ଶରତଚନ୍ଦ୍ର ଗୌନ୍ତିଆଙ୍କ ନାମରେ ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଦେବଗଡ ଜିଲ୍ଲା ବାରାକୋଟରା ରାଜେଶ କୁମାର ସାହୁ ନିଜ ୧୦ ମାସର ଶିଶୁ କନ୍ୟାକୁ ଟିକା ଦେବା ଲାଗି ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତର ଜଣଙ୍କ ୪୨୯ ଟଙ୍କିଆ ଏକ୍ସପାରୀ ଔଷଧ ଦେଇ ୨୧୦୦ ଟଙ୍କା ନେଇଥିବା ଶ୍ରୀ ସାହୁ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଡାକ୍ତରଙ୍କୁ ପଚାରିବାରୁ ଔଷଧ ଖୋଳରୁ ତାରିଖ ଓ ଦାମ୍ ଚିରିଦେଇଥିବାର ଅଭିଯୋଗ ହୋଇଛି। ତେବେ ଡଷ୍ଟବିନରୁ ଆଣି ଖୋଳକୁ ଦେଖିବା ପରେ ଟିକାଟି ଏକ୍ସପାରୀ ଥିବା ଓ ଦାମ୍ କମ୍ ଥିବା ଜଣାପଡିଥିଲା। ଅଭିଯୋଗ ପରେ ଘଟଣାର ତଦନ୍ତ ଚାଲିଥିବା ଏସଡିପିଓ ରାଜକିଶୋର ମିଶ୍ର କହିଛନ୍ତି।