ବାଲୁକା କଳା ମାଧ୍ୟମରେ ପ୍ଲାଜ୍ମା ଦାନ କରିବା ପାଇଁ ଆହ୍ୱାନ

(ଗୋପ/ ଜୟନ୍ତ ସେଠୀ): କରୋନା ରୋଗରୁ ସୁସ୍ଥ ହୋଇଥିବା ବ୍ୟକ୍ତି ଏବେ ଗୁରୁତର ରୋଗୀଙ୍କ ପାଇଁ ବରଦାନ ପାଲଟିଛନ୍ତି। କରୋନାରୁ ସୁସ୍ଥ ବ୍ୟକ୍ତିଙ୍କ ପ୍ଲାଜ୍ମାରୁ ଅନେକ ଗୁରୁତର ରୋଗୀ ଭଲ ହୋଇ ପାରୁଛନ୍ତି। ଏଣୁ ଅଧିକ ରୁ ଅଧିକ ପ୍ଲାଜ୍ମା ଦାନ ନିମନ୍ତେ ରାଜ୍ୟ ସରକାର ଅଭିଯାନ ଆରଂଭ କରିଥିବା ବେଳେ ପ୍ଲାଜ୍ମା ବ୍ୟାଙ୍କ ଖୋଲା ଯାଇଛି। ତେବେ ଲୋକଙ୍କ ମଧ୍ୟରେ ସଚେତନତା ଅଭାବରୁ ପ୍ଲାଜ୍ମା ଯେତିକି ସଂଗ୍ରହ ହେବା କଥା ସେତିକି ହୋଇ ପାରୁ ନାହିଁ। ଯାହାକି ଚିନ୍ତା ଜନକ ସ୍ଥିତି ସୃଷ୍ଟି କରିଛି । ତେବେ ଏ ନେଇ ଲୋକଙ୍କୁ ସଚେତନ କରିବା ପାଇଁ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଉଦ୍ୟମ କରିଛନ୍ତି । ପୁରୀ ବେଳାଭୂମିରେ ଏକ ବାଲୁକାକଳା ଏ ନେଇ କରିଥିବା ବେଳେ କରୋନାରୁ ସୁସ୍ଥ ସମସ୍ତ ଲୋକ ପ୍ଲାଜ୍ମା ଦାନ କରିବା ପାଇଁ ଆଗେଇ ଅସିବାକୁ ସେ ଆହ୍ୱାନ ଦେଇଛନ୍ତି। ଏହା ଦ୍ୱାରା ଅନେକ ନିରୀହ ଲୋକଙ୍କ ଜୀବନ ବଂଚାଯାଇ ପାରିବ।