ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଶତବର୍ଷ ପୂର୍ତ୍ତି ମହୋତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଜୟ ଜଗନ୍ନାଥ, ଜୟଗୁରୁ କହି ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ

ପୁରୀ: ପୁରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଳବଣିଆସ୍ଥିତ ସ୍ପୋର୍ଟ୍ସ କମ୍ପ୍ଲେକ୍ସଠାରେ ଆୟୋଜିତ ଠାକୁର ଅନୁକୁଳଚନ୍ଦ୍ରଙ୍କର ଉତ୍କଳ ଆଗମନକୁ ୧୦୧ ତମ ବର୍ଷ ପୂର୍ତ୍ତି ଉତ୍ସବରେ ହେଲେ ସାମିଲ । ସମାବେଶରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ସୁନ୍ଦର ଓଡ଼ିଶା ଗଠନ କରିବାକୁ ଆହ୍ଵାନ ଦେଇଛନ୍ତି। ‘୧୦୦ ବର୍ଷ ତଳେ ଠାକୁର ଅନୁକୂଳଚନ୍ଦ୍ର ପୁରୀ ଆସିଥିଲେ’। ‘ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବାପାଙ୍କ ଅନୁରୋଧରେ ପୁରୀ ଆସିଥିଲେ’। ‘ଠାକୁର ଅନୁକୂଳ ଚନ୍ଦ୍ରଙ୍କ ସହ ତାଙ୍କର ବହୁ ଅନୁଗାମୀ ମଧ୍ୟ ପୁରୀ ଆସିଥିଲେ’। ତାଙ୍କର ଲକ୍ଷ ଲକ୍ଷ ଅନୁଗାମୀ ଆଜି ସେବା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।

କାର୍ଯ୍ୟକ୍ରମରେ ସୁପ୍ରିମ କୋର୍ଟଙ୍କ ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ସମେତ ଦେଶ ବିଦେଶରୁ ୫୦ ହଜାରରୁ ଉର୍ଦ୍ଧ୍ୱ ଠାକୁର ଅନୁକୂଳଚନ୍ଦ୍ରଙ୍କର ଅନୁଗାମୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ୧୯୨୩ ଜାନୁଆରୀ ୨ ତାରିଖରେ ଠାକୁର ଅନୁକୂଳଚନ୍ଦ୍ର ପୁରୀରେ ପହଞ୍ଚିଥିଲେ। ଏଠାରେ ମାସାଧିକ କାଳ ରହି ସମୁଦ୍ର ସ୍ନାନ ସମେତ ମହାପ୍ରଭୁଙ୍କ ଦର୍ଶନ ଓ ଆଧ୍ୟାତ୍ମିକ ବାର୍ତ୍ତା ପ୍ରଚାର କରିଥିଲେ। ତେଣୁ ସେହି ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ ପୁରୀରେ ଠାକୁର ଅନୁକୂଳଚନ୍ଦ୍ରଙ୍କର ଓଡ଼ିଶା ଆଗମନର ଶତବର୍ଷ ପୂର୍ତ୍ତି ମହା ମହୋତ୍ସବ ଆୟୋଜନ କରାଯାଇଛି ।