ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଘୋଟାଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିବାଲଙ୍କ ବିରୋଧରେ ତଦନ୍ତକୁ ଗତିଶୀଳ କରିଛି ସିବିଆଇ । ଆଜି ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟରେ ସିବିଆଇ ଅରବିନ୍ଦଙ୍କ ଚାର୍ଜ ସିଟ ଦାଖଲ କରିଛି । ଏହା ପୂର୍ବରୁ ଇଡି ୨୦୦ ପୃଷ୍ଠାର ଚାର୍ଜ ସିଟ ଦାଖଲ କରିସାରିଛି । ଗତ ମାସ ୨୬ରେ ସିବିଆଇ କେଜରିବାଲଙ୍କୁ ଗିରଫ କରିଥିଲା ।
ତେବେ ଏହା ପୂର୍ବରୁ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଇଡି ମାର୍ଚ୍ଚ ୨୧ରେ ତାଙ୍କୁ ଗରିଫ କରିଥିଲା ସେହି ମଦ ଦୁର୍ନୀତି ମାମଲାରେ । ତେବେ ନିର୍ବାଚନ ପୂର୍ବରୁ ତାଙ୍କୁ ମେ ମାସରେ ଅନ୍ତରିଣ ଜାମିନ ଦିଆଯାଇଥିଲା । ନିର୍ବାଚନ ପରେ ସେ ପୁଣି ଜେଲକୁ ଫେରି ଯାଇଥିଲେ । ଶେଷରେ ଇଡି ମାମଲାରେ ତାଙ୍କୁ ସୁପ୍ରିମ କୋର୍ଟ ଜାମିନ ଦେଲା ବେଳକୁ ସିବିଆଇ ତାର ପଞ୍ଝା ଟାଣ କରିଥିଲା । ସେ ଜାମିନରେ ବାହାରିବା ଆଗରୁ ସିବିଆଇ ତାଙ୍କୁ ଜେଲ ଭିତରେ ପ୍ରଥମେ ଜେରା କରିବା ପରେ ଗିରଫ କରିଥିଲା ।
ଇଡି ତାର ଚାର୍ଜ ସିଟରେ ଉଲ୍ଲେଖ କରିଛି କି, ଆମ ଆଦମୀ ପାର୍ଟି ଆବାହକ ଅବକାରୀ ନୀତିରେ ୧୦୦ କୋଟି ଟଙ୍କା ଲାଞ୍ଚ ନେଇଛନ୍ତି । ସେପଟେ ସିବିଆଇ ତାଙ୍କୁ ରିମାଣ୍ଡରେ ନେବା ସମୟରେ କୋର୍ଟଙ୍କୁ ଜଣାଇଥିଲା କି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ମଦ ଦୁର୍ନୀତିର ମୁଖ୍ୟ ଷଡଯନ୍ତ୍ରକାରୀ । ସେ ତାଙ୍କ ସହଯୋଗୀଙ୍କ ସହାୟତାରେ ମଦ ବ୍ୟବସାୟୀଙ୍କ ସମ୍ପର୍କରେ ଥିଲେ । ମଦ ବ୍ୟବସାୟୀଙ୍କୁ ସୁହାଇଲା ପରି ନୀତି ପ୍ରଣୟନ କରି କୋଟି କୋଟି ଟଙ୍କା ଦୁର୍ନୀତି କରିଥିବା ତାଙ୍କ ବିରୋଧରେ ଅଭିଯୋଗ ରହିଛି ।