ରାତି ତମାମ ଚାଲିବା ପରେ ଶେଷ ହୋଇଛି ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ତଥା ବଜେଟ ଅଧିବେଶନ। ପ୍ରାୟ ଦୁଇ ଦଶନ୍ଧି ପରେ ଗତକାଲିଠୁ ଆଜି ସକାଳ ଯାଏଁ ରାତିତମାମ ଚାଲିଲା ବିଧାନସଭା । ଭୋର ୪ଟା ୨୯ ମିନିଟରେ ପାରିତ ହୋଇଥିଲା ବିଶ୍ୱ ବିଦ୍ୟାଳୟ ସଂଶୋଧିତ ବିଲ୍ ୨୦୨୪ । ପରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଗତ କରିଥିଲେ ରାଜ୍ୟ ରାଜପଥ ପ୍ରାଧିକରଣ ବିଲ୍ ୨୦୨୪ । ବିଶ୍ୱବିଦ୍ୟାଳୟ ବିଲ୍ ନେଇ ବିରୋଧୀ ଏବଂ ଶାସକ ଦଳ ଭିତରେ ହୋଇଥିଲା ଘମାଘୋଟ ଆଲୋଚନା । ଶେଷ ଯାଏଁ ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତେବେ ଗୃହରେ ନଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଦୁଇ ମହିଳା ବିଧାୟିକା ଉପାସନା ମହାପାତ୍ର ଏବଂ ସଞ୍ଜଳି ମୁର୍ମୁ ଶେଷ ଯାଏଁ ଗୃହରେ ଉପସ୍ଥିତ ଥିଲେ । ବିରୋଧୀ ଦଳ ପକ୍ଷରୁ ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅରୁଣ ସାହୁ, ଗଣେଶ୍ବର ବେହେରା, ଧ୍ରୁବ ସାହୁ ବିଲ୍ ବିରୋଧରେ ବଳିଷ୍ଠ ଯୁକ୍ତି ବଢିଥିଲେ । ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ ମଧ୍ୟ ବିରୋଧୀଙ୍କୁ କଡ଼ା କାଉଣ୍ଟର କରିଥିଲେ । ଶାସକ ଦଳର ପ୍ରାୟ ସମସ୍ତ ମନ୍ତ୍ରୀ ଏବଂ ବିଧାୟକ ଉପସ୍ଥିତ ଥିଲେ ।