(ପ୍ରଶାନ୍ତ କୁମାର ସ୍ଵାଇଁ/ପାରାଦ୍ଵୀପ): ପାରାଦ୍ଵୀପ ନେହେରୁବଙ୍ଗଳା ମହାନଦୀ ମୁହାଣରେ ଅଘଟଣ। ଏକ ମାଛଧରା ବୋଟ ବୁଡି ଦୁଇଜଣ ମତ୍ସ୍ୟଜୀବୀ ନିଖୋଜ ରହିଛନ୍ତି। ମା’ ରାମଚଣ୍ଡୀ-୯୮ ନାମକ ବୋଟରେ ୭ ଜଣ ମତ୍ସ୍ୟଜୀବୀ ଥିବା ବେଳେ ଗତ ଦୁଇଦିନ ତଳେ ସେମାନେ ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ। ଆଜି ଫେରୁଥିବା ବେଳେ ମୁହାଣ ନିକଟରେ ଅଧିକ ସାମୁଦ୍ରିକ କରେଣ୍ଟ ଯୋଗୁଁ ଉଚ୍ଚ ଢେ଼ଉ ମାଡ଼ରେ ବୋଟ ଟି ଓଲଟି ପଡିଥିଲା। ଫଳରେ ବୋଟରେ ଥିବା ସମସ୍ତ ୭ ଜଣ ମତ୍ସ୍ୟଜୀବୀ ଛିଟିକି ପଡ଼ିଥିଲେ। ତେବେ ପଛରେ ଆସୁଥିବା ଅନ୍ୟ ଏକ ବୋଟ ୫ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ମାତ୍ର ଦୁଇଜଣ ମତ୍ସ୍ୟଜୀବୀ ନିଖୋଜ ଅଛନ୍ତି, ସେମାନଙ୍କୁ ଅନ୍ୟ ମାଛଧରା ବୋଟ ଓ କୋଷ୍ଟଗାର୍ଡ ଜାହାଜ ସାହାଯ୍ୟରେ ତଲାସି କରାଯାଉଛି। ନିଖୋଜ ମତ୍ସ୍ୟଜୀବୀ ହେଲେ ଷଣ୍ଢକୁଦ ବସ୍ତିର ଦାମଲ କାମରାଜୁ ଓ ସି ଏଚ୍ ଦେଉଡୁ । ତେବେ ସୁଅ ପ୍ରବଳ ହେଉଥିବା ବେଳେ ହଠାତ ଟାପା ଟି ବୁଡିଯାଇଥିବା ପ୍ରତ୍ୟକ୍ଷଦର୍ଶୀ ପ୍ରକାଶ କରିଛନ୍ତି।