ଯୋଡ଼ା / ରମେଶ ଚନ୍ଦ୍ର ମହାପାତ୍ର : ପ୍ରାଥମିକ ଶିକ୍ଷକଙ୍କ ପାଇଁ ଅଡୁଆ ସୃଷ୍ଟି କରୁଛି ଅଣ୍ଡା। ଗୋଟିଏ ପଟେ ଅଣ୍ଡା ପାଇଁ ସରକାର ଯେତିକି ଟଙ୍କା ଦେଉଛନ୍ତି, ବଜାର ମୂଲ୍ୟ ତା ଠାରୁ ଅଧିକ ଥିବାରୁ ଏହି ଅଣ୍ଡା ଶିକ୍ଷକଙ୍କ ପାଇଁ ବୋଝ ପାଲଟିଛି। ଖାଲି ସେତିକି ନୁହେଁ, ମାସ ମାସ ଧରି ଅଣ୍ଡା ବାବଦକୁ ଟଙ୍କା ନ ମିଳୁ ଥିବାରୁ କେଉଁଠି କିଏ ଛାତ୍ରଛାତ୍ରୀଙ୍କୁ ବିସ୍କୁଟ ବାଣ୍ଟି ଦେଇ କାମ ଚଳାଇ ଦେଲେଣି। କେନ୍ଦୁଝର ଜିଲ୍ଲାରେ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସପ୍ତାହକ ଛଅ ଦିନ ଅଣ୍ଡା ପ୍ରଦାନ କରାଯାଉଛି। ରାଜ୍ୟର ଅନ୍ୟ ଜିଲ୍ଲା ଗୁଡିକରେ ସପ୍ତାହକୁ ୨ ଦିନ ଅଣ୍ଡା ଦିଆଯାଉଥିବା ବେଳେ ଏଠାରେ ଛଅ ଦିନ ଛାତ୍ରଛାତ୍ରୀଙ୍କୁ ଅଣ୍ଡା ପ୍ରଦାନ କରାଯାଉଛି। ଏହି ୬ ଦିନ ମଧ୍ୟରୁ ଦୁଇଦିନ ରାଜ୍ୟ ସରକାରଙ୍କ ପକ୍ଷରୁ ଅଣ୍ଡା ଦିଆଯାଉଥିବା ବେଳେ ଅବଶିଷ୍ଟ ୪ ଦିନ ଜିଲ୍ଲା ଖଣିଜ ପାଣ୍ଠିରୁ ଅଣ୍ଡା ପ୍ରଦାନ କରାଯାଉଛି। ଅଣ୍ଡା ବାବଦରେ ରାଜ୍ୟ ସରକାର ୫ଟଙ୍କା 30 ପଇସା ଦେଉଥିବା ବେଳେ ଏହି ମୂଲ୍ୟ ମଧ୍ୟ ଜିଲ୍ଲା ଖଣିଜ ପାଣ୍ଠି ପ୍ରଦାନ କରୁଛି।ତେବେ ସବୁଠୁ ବଡ଼ କଥା ହେଉଛି, ରାଜ୍ୟ ସରକାର ଅଣ୍ଡା ପିଛା ୫ଟଙ୍କା ୩୦ ପଇସା ଦେଉଥିବା ବେଳେ ବାସ୍ତବରେ ଖୋଲା ବଜାରରେ ଅଣ୍ଡା ମୂଲ୍ୟ ୭ ଟଙ୍କା ପଡୁଛି। ଅର୍ଥାତ ମଧ୍ୟାହ୍ନ ଭୋଜନ ଦାୟିତ୍ବରେ ଥିବା ଶିକ୍ଷକ ପ୍ରତି ଦିନ ଛାତ୍ରଛାତ୍ରୀଙ୍କ ପିଛା ଅଣ୍ଡା ବାବଦରେ ୧ ଟଙ୍କା ୭୦ ପଇସା ହାତରୁ ଦେଉଛି। ଶେଷରେ କ୍ଷତି ସରିବା ପରିବର୍ତ୍ତେ ଅଣ୍ଡା ବଦଳରେ ବିସ୍କୁଟ ଦେବାକୁ ବାଧ୍ୟ ହେଉଛନ୍ତି । ଏପରି ଘଟଣା ଦେଖିବାକୁ ମିଳିଛି ସବୁଠାରୁ ଧନୀ ଉପଖଣ୍ଡରେ । ଚମ୍ପୁଆ ବ୍ଲକର ପତଳା ପ୍ରାଥମିକ ବିଦ୍ୟାଳୟର ଉଦାହରଣ ନିଆଯାଉ। ଏହି ବିଦ୍ୟାଳୟରେ ଗତ ଦୁଇ ସପ୍ତାହ ଧରି ଛାତ୍ରଛାତ୍ରୀ ମାନଙ୍କୁ ଅଣ୍ଡା ବଦଳରେ ବିସ୍କୁଟ ଦିଆଯାଉଥିଲା। ତେବେ ଅଭିଭାବକମାନଙ୍କର ଅଭିଯୋଗ କ୍ରମେ ଶିକ୍ଷା ବିଭାଗ ତଦନ୍ତ କରିଥିଲା। ତଦନ୍ତ ବେଳେ ଯେଉଁ ସବୁ ତଥ୍ୟ ଆସିଲା, ତାହା ଚିନ୍ତାଜନକ।ମିିଥିବା ସୂଚନା ଅନୁସାରେ କେନ୍ଦୁଝର ଜିଳ୍ଲାରେ ମୋଟ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୨୬୨୩ଟି ବିଦ୍ୟାଳୟ ରହିଛି। ଏଥିମଧ୍ୟରୁ ପ୍ରାଥମିକବିଦ୍ୟାଳୟରେ ମୋଟ ୧ ଲକ୍ଷ ୩୪ ହଜାର ୯୧୨ ଜଣ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୋଟ ୮୫ ୧୧୦ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ଅର୍ଥାତ ଜିଲ୍ଲାରେ ପ୍ରତିଦିନ ୨ ଲକ୍ଷ ୨୦ ହଜାର ୨୨ ଜଣ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନରେ ଅଣ୍ଡା ଖାଉଛନ୍ତି। ଅର୍ଥାତ ପ୍ରତିଦିନ ଗୋଟିଏ ଅଣ୍ଡା ବାବଦକୁ ଯଦି ଶିକ୍ଷକଙ୍କ ପକେଟରୁ ୧ଟଙ୍କା ୭୦ ପଇସା କ୍ଷତି ହୁଏ, ତେବେ ମୋଟ ୨ ଲକ୍ଷ ୨୦ ହଜାର ୨୨ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିଦିନ ହାରାହାରି ୩ ଲକ୍ଷ ୭୪ ହଜାର ଟଙ୍କା ଶିକ୍ଷକଙ୍କର କ୍ଷତି ହେଉଛି। ବାସ୍ତବ କଥା ହେଉଛି, ଅଣ୍ଡା ପାଇଁ ସରକାର ଯେତିକି ଟଙ୍କା ଦିଅନ୍ତି, ତାହାଠାରୁ ଅଧିକମୂଲ୍ୟରେ ଅଣ୍ଡା କିଣିବାକୁ ପଡ଼ୁଛି। ଦ୍ବିତୀୟରେ ଅଣ୍ଡା ବାବଦରେ ଟଙ୍କା ଡିଏମଫରୁ ଠିକ୍ ସମୟରେ ମିଳୁନି। ତେଣୁ ଅଣ୍ଡା ଦେବାକୁ ଆମକୁ ବହୁତ୍ କଷ୍ଟ ହେଉଛି। ପଇସା ଠିକ୍ ସମୟରେ ନ ପାଇ ଦୋକାନୀ ବି ମୁହଁ ଫୁଲାଉଛି । ଏପରି କହିଛନ୍ତି ଚମ୍ପୁଆ ବ୍ଲକ୍ ପତଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ।