ଜନ୍ମଦିନରେ ଭୂପେଶ ବାଘେଲଙ୍କ ପୁଅକୁ ଉଠେଇ ନେଲା ଇଡି

ନୂଆଦିଲ୍ଲୀ: ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ପୁଅ ଚୈତନ୍ୟ ବାଘେଲଙ୍କୁ ଗିରଫ କରିଛି ଇଡି । ମଦ ଦୁର୍ନୀତି ମାମଲାରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ସୂଚନା ମିଳିଛି । ଆଜି ସକାଳେ ଇଡି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଭିଲାଇ ବାସଭବନରେ ଚଢାଉ କରିଥିଲା। ଭୂପେଶ ବାଘେଲ ଏହି ଚଢାଉ ବିଷୟରେ ଟୁଇଟ କରିଥିଲେ। ଭୂପେଶ ବାଘେଲ X ରେ ପୋଷ୍ଟ କରି ଲେଖିଥିଲେ, ‘ଇଡି’ ଆସିଛି। ଆଜି ବିଧାନସଭା ଅଧିବେଶନର ଶେଷ ଦିନ। ଆଦାନୀଙ୍କ ପାଇଁ ତମନାରରେ ଗଛ କଟାଯିବା ପ୍ରସଙ୍ଗ ଆଜି ଉଠାଇବାର ଥିଲା। ‘ସାହେବ’ ଭିଲାଇ ବାସଭବନକୁ ଇଡି ପଠାଇଛନ୍ତି।

ସୂଚନା ଅନୁଯାୟୀ, ମଦ ଦୁର୍ନୀତି ମାମଲା ସହିତ ଜଡିତ ଇଡି ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଇଡି ଦଳ ଭିଲାଇରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ବାସଭବନରେ ପହଞ୍ଚିଥିଲା। ଇଡି ଦଳ ୩ ଟି ଗାଡ଼ିରେ ପହଞ୍ଚିଥିଲା ଏବଂ ସିଆରପିଏଫ କର୍ମଚାରୀମାନେ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ବର୍ତ୍ତମାନ ତାଙ୍କ ଘରେ ଇଡି ତଦନ୍ତ ଚାଲିଛି । ତେବେ ଆଜି ଭୂପେଶ ବାଘେଲଙ୍କ ପୁଅ ଚୈତନ୍ୟ ବାଘେଲଙ୍କ ଜନ୍ମଦିନ । ଛତିଶଗଡ଼ରେ ଅବକାରୀ ଦୁର୍ନୀତିକୁ ନେଇ ଇଡିର ତଦନ୍ତରୁ ଏକ ବଡ଼ ଖୁଲାସା ହୋଇଛି । ତଦନ୍ତରୁ ଜଣାପଡ଼ିଛି ଯେ, ରାଜ୍ୟରେ ବେଆଇନ ମଦ କାରବାର ସିଣ୍ଡିକେଟ୍ କାର୍ଯ୍ୟ କରୁଥିଲା, ଯେଉଁଥିରେ ଅନୱର ଧେବର, ଅନିଲ ଟୁଟେଜା ଏବଂ ଅନେକ ଲୋକ ସାମିଲ ଥିଲେ । ଏହି ଦୁର୍ନୀତିରୁ ପ୍ରାୟ ୨୧୬୧ କୋଟି ଟଙ୍କାର ବେଆଇନ ଆୟ ହୋଇଥିଲା ।