(ରିପୋଟର୍ସ ଟୁଡେ,ନୁଆଦିଲ୍ଲୀ): ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳ ତେହରିକ-ଏ-ଇନସାଫ (ପିଟିଆଇ)ର ଜଣେ ପୁର୍ବତନ ନେତା ପାକିସ୍ତାନର ଅସଲ ମୁଖା ଖୋଲିଛନ୍ତି । ସେ ଆଉ ପାକିସ୍ତାନରେ ନରହି ନିଜ ପରିବାର ସହ ଭାରତରେ ଆଶ୍ରୟ ନେବା ପାଇଁ ଭାରତ ସରକାରଙ୍କୁ ଅନୁରୋଧ କରିଛନ୍ତି । ପିଟିଆଇର ପୁର୍ବତନ ବିଧାୟକ ବଲଦେବ କୁମାର ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି ଯେ, ପାକିସ୍ତାନରେ ସଂଖ୍ୟାଲଘୁମାନଙ୍କର ଅଧିକାର ହ୍ରାସ ପାଇଲାଣି । ହିନ୍ଦୁ, ଶିଖ୍, ଓ ମୁସଲମାନଙ୍କ ଉପରେ ପାକିସ୍ତାନ ସରକାର ଅତ୍ୟାଚାର କରୁଛନ୍ତି । ବିନା କାରଣରେ ସେମାନଙ୍କ ଉପରେ ମକଦ୍ଦମା ରୁଜୁ କରାଯାଉଛି । ସେମାନଙ୍କୁ ହତ୍ୟା କରାଯାଉଛି । ସେଠାକାର ମୁସଲମାନମାନେ ମଧ୍ୟ ଏଥିରୁ ବାଦ ପଡି ନାହାନ୍ତି । ଜୋର ଜବରଦସ୍ତ ହିନ୍ଦୁ, ଶିଖ୍ ଓ ଖ୍ରୀଷ୍ଟିଆନ ଝିଅମାନଙ୍କୁ ଇସଲାମ୍ ଗ୍ରହଣ କରିବାକୁ ବାଧ୍ୟ କରାଯାଉଛି ଏବଂ ମୁସଲମାନଙ୍କ ସହ ବିବାହ କରାଇ ଦିଆଯାଉଛି । ଏବେ ସେଠାରେ ଶାନ୍ତିରେ ଜୀବନ ବିତାଇବା କଷ୍ଟକର ହୋଇପଡିଲାଣି ।
ବଳଦେବ ଖାଇବର ପଖତୁନଖ୍ୱା(କେପିକେ)ର ବାରିକୋଟ ଆସନରୁ ଇମ୍ରାନ ସରକାରଙ୍କ ପିଟିଆଇ ଦଳର ବିଧାୟକ ଥିଲେ । ୨୦୧୮ ମସିହାରେ ତାଙ୍କୁ ମିଛ ହତ୍ୟାକାଣ୍ଡ ମାମଲାରେ ଫସାଇ ଦିଆଯାଇଥିଲା । ସେ ଏବେ ପଞ୍ଜାବ ଆସିଛନ୍ତି । ମୋଦି ସରକାର ଅନୁମତି ଦେଲେ ଭାରତରେ ଶରଣ ନେବେ ବୋଲି ସେ କହିଛନ୍ତି ।