ପୁଲିସ ଏସଆଇ ପରୀକ୍ଷା ଜାଲିଆତି ଘଟଣାରେ ଆଶାୟୀ ଛାତ୍ରଛାତ୍ରୀଙ୍କୁ ଜାମିନ୍

ଜେଲରୁ ବାହିରବେ ଆଶାୟୀ ଛାତ୍ରଛାତ୍ରୀ । ପୁଲିସ ଏସଆଇ ପରୀକ୍ଷା ଜାଲିଆତି ଘଟଣାରେ ବ୍ରହ୍ମପୁର ଜେଲରେ ୧୧୪ ଜଣ ଆଶାୟୀ ଛାତ୍ରଛାତ୍ରୀ ରହିଛନ୍ତି । ସେମାନଙ୍କୁ ଭିଜିଲାନ୍ସ କୋର୍ଟ ଜାମିନ ପ୍ରଦାନ କରିବା ପରେ ଆଜି ଜେଲରୁ ମୁକୁଳିବେ । ତେବେ ଏହି ୧୧୪ ଜଣ ଆଶାୟୀ ଛାତ୍ରଛାତ୍ରୀଙ୍କ ବିରୋଧରେ କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଅଧିକାରୀ କୋର୍ଟରେ କେସ୍ ଡାଏରୀ ତଥା ସିଡି ଦାଖଲ କରିଥିଲେ । କିନ୍ତୁ କୋର୍ଟରେ ବିଚାରଣା ସମୟରେ ସେମାନଙ୍କ ବିରୋଧରେ ଆବଶ୍ୟକୀୟ ତଥ୍ୟ ପ୍ରମାଣ କ୍ରାଇମବ୍ରାଞ୍ଚ କୋର୍ଟରେ ଦାଖଲ କରିପାରିନଥିଲା । ଯେଉଁକାରଣରୁ କୋର୍ଟ ୧୧୪ ଜଣ ଆଶାୟୀ ଛାତ୍ରଛାତ୍ରୀଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ।

ଅନ୍ୟପଟେ, ଜାମିନ ସର୍ତ୍ତଗୁଡ଼ିକ ମଧ୍ୟରେ ଆଶାୟୀ ଛାତ୍ରଛାତ୍ରୀ ମାନେ ପ୍ରତି ଛାତ୍ରଛାତ୍ରୀ ୫୦ ହଜାର ଟଙ୍କା ସହ ଦୁଇ ଜଣ ଜାମିନଦାରଙ୍କ ଜରିଆରେ ଜାମିନ ପ୍ରଦାନ କରାଯିବ। ଏହି ମାମଲାରେ ସମ୍ପୃକ୍ତ ସମ୍ପୃକ୍ତ ଥିବା କୌଣସି ସାକ୍ଷୀଙ୍କୁ ପ୍ରଭାବିତ କରିବେ ନାହିଁ। ପୋଲିସ କିମ୍ବା କ୍ରାଇମବ୍ରାଞ୍ଚ ଟିମ ଯେଉଁ ସମୟରେ ତଦନ୍ତ ପାଇଁ ଡାକିବେ, ସେହି ସମୟରେ ସେମାନେ ଉପସ୍ଥିତ ରହିବେ । ଏହାସହ କ୍ରାଇମବ୍ରାଞ୍ଚକୁ ତଦନ୍ତରେ ସମସ୍ତ ପ୍ରକାରର ସହଯୋଗ କରିବେ ବୋଲି ସର୍ତ୍ତ ରହିଛି । କୋର୍ଟଙ୍କ ଏହି ସର୍ତ୍ତାବଳିରେ ରାଜି ହୋଇଥିଲେ ସମସ୍ତ ଗିରଫ ଆଶାୟୀ ଛାତ୍ରଛାତ୍ରୀ । ତେଣୁ କୋର୍ଟ ସମସ୍ତ ୧୧୪ ଜଣ ଆଶାୟୀ ଛାତ୍ରଛାତ୍ରୀଙ୍କୁ ଜାମିନ ଦେଇଥିବା ବେଳେ ସର୍ତ୍ତ ପାଳନ କରି ବ୍ରହ୍ମପୁର ଜେଲରୁ ଆଜି ବାହାରିବେ ଛାତ୍ରଛାତ୍ରୀ ମାନେ ।