ନିଜ ନିର୍ବାଚନ ମଣ୍ଡଳୀର ଭୋଟରଙ୍କୁ ଠକିଛନ୍ତି ବୈଜୟନ୍ତ: ବିଜେଡ଼ି

(ରିପୋର୍ଟସ ଟୁଡ଼େ / ମୃତ୍ୟୁଞ୍ଜୟ ) : ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡ଼ା ଲୋକସଭା ଅଂଚଳର ଲୋକଙ୍କୁ ଠିକଛନ୍ତି। ବିଜୁ ଜନତା ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କୁହାଯାଇଛି। କେନ୍ଦ୍ରାପଡ଼ାବାସୀ ୨୦୧୪ରେ ସାଂସଦ ବୈଜୟନ୍ତଙ୍କ ବିରୋଧରେ ଅପରାଧିକ ଅଭିଯୋଗ ଦାୟର କରିଥିଲେ। ସ୍ଥାନୀୟ ଲୋକେ ଅଭିଯୋଗରେ ଉଲ୍ଲେଖ କରିଥିଲେ ଯେ, ୨୦୧୪ ନିର୍ବାଚନୀ ସତ୍ୟପାଠରେ ବୈଜୟନ୍ତ ପଣ୍ଡା ମିଛ ସୂଚନା ଦେଇଥିଲେ, ଯାହାକି ୨୦୧୯ ନିର୍ବାଚନରେ ପ୍ରମାଣିତ ହୋଇଛି।
ସାମ୍ବାଦିକ ସମ୍ମିଳନୀରେ ବିଜେଡି କହିଛି, ୨୦୧୪ ନିର୍ବାଚନୀ ସତ୍ୟପାଠରେ ନିଜକୁ ସାଂସଦ ବୋଲି ଦର୍ଶାଇଥିବା ବେଳେ ସେ ନିଜର ବ୍ୟବସାୟ ବାବାଦରେ କିଛି ଉଲ୍ଲେଖ କରି ନ ଥିଲେ। ସେତେବେଳେ ସେ ଇମ୍ଫାର ଉପାଧ୍ୟକ୍ଷ ଥିଲେ। ଇମ୍ଫା ସହିତ ସଂପର୍କ ଥିବା ନେଇ ସେ ୨୦୧୯ ନିର୍ବାଚନୀ ଇସ୍ତାହାରରେ ସୂଚନା ପ୍ରଦାନ କରିଛନ୍ତି।
ବର୍ଷ ୨୦୧୯ ନିର୍ବାଚନୀ ଇସ୍ତାହାରରେ ବୈଜୟନ୍ତ ପଣ୍ଡା, ନିଜକୁ ଇମ୍ଫାର ଉପାଧ୍ୟକ୍ଷ ବୋଲି ଦର୍ଶାଇଛନ୍ତି। ସେ ୨୦୧୮ ଅକ୍ଟୋବର ୨୮ରୁ ଏହି ପଦରେ ୩ ବର୍ଷ ପାଇଁ ରହିବେ ଓ ଏଥି ପାଇଁ ମାସକୁ ୧୭ ଲକ୍ଷ ଟଙ୍କା ପାରିଶ୍ରମିକ ନେବେ। ଇମ୍ପାର ବାର୍ଷିକ ରିପୋର୍ଟ ୨୦୧୩-୧୪ ଏବଂ ୨୦୧୪-୧୫ରେ ସେ ନିଜକୁ ଇମ୍ଫାର ଉପାଧ୍ୟକ୍ଷ ବୋଲି ଦର୍ଶାଇଛନ୍ତି। ସେହି ସମୟରେ ସେ ବାର୍ଷିକ ୧.୦୪ କୋଟି ଟଙ୍କା ଦରମା ନେଉଥିଲେ ବୋଲି ବିଜେଡି କହିଛି। ଏଥିରୁ ସ୍ପଷ୍ଟ ହେଉଛି ଯେ, ବୈଜୟନ୍ତ ପଣ୍ଡା ନିଜର ପାରିବାରିକ ବ୍ୟବସାୟକୁ ସଂପୂର୍ଣ୍ଣ ରୂପେ ସମର୍ଥନ ଥିଲେ।