(ରିପୋଟର୍ସ ଟୁଡେ, ଭୁବନେଶ୍ୱର): ଶ୍ରୀମନ୍ଦିରର ସୁରକ୍ଷା ଓ ପୁରୀର ବିକାଶ ପାଇଁ ଶନିବାର ରାଜ୍ୟ ସରକାରଙ୍କ ପଦକ୍ଷେପକୁ ଆମିକସ କ୍ୟୁରୀ ରଞ୍ଜିତ କୁମାର ସ୍ୱାଗତ କରିବା ମନ୍ଦିର ଚତୁଃପାଶ୍ୱର୍ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିବାକୁ କ୍ଲିନଚିଟ୍ ଦେଇଥିଲେ । ରବିବାର ସକାଳ ପ୍ରାୟ ୭ଟା ବେଳେ ଶ୍ରୀମନ୍ଦିରର ଉତ୍ତର-ପୁର୍ବ ପାଶ୍ୱର୍ରେ ଥିବା ବଡ ଆଖଡା ମଠ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଏହି ମଠରେ ଥିବା ୧୮ଟି ବ୍ୟବସାୟିକ କେନ୍ଦ୍ର ସମେତ ସିଂହଦ୍ୱାର ଥାନା ଭଙ୍ଗାଯାଇଛି । ୧୫ ପ୍ଲାଟୁନ ପୋଲିସ ଫୋର୍ସ ସମେତ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଅତିରିକ୍ତ ଏସପି ଓ ଡିଏସପିଙ୍କ ଉପସ୍ଥିତିରେ ଏହି ଉଚ୍ଛେଦ କାର୍ଯ୍ୟ ଚାଲିଛି । ସୁଚନାନୁଯାୟୀ, ମଠ ଭଙ୍ଗା ହେବା ପୁର୍ବରୁ ଦୋକାନୀମାନେ ସେମାନଙ୍କର ସାମଗ୍ରୀ ସ୍ଥାନାନ୍ତର କରିସାରିଥିଲେ । ତେବେ ମଠ ପରିସରରେ ଥିବା ମନ୍ଦିରଟିକୁ ଭଙ୍ଗାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି । ସେଠାରେ ମଠର ମହନ୍ତ ରହିବେ । ମଠର ଅନ୍ତେବାସୀଙ୍କୁ ସ୍ଥାନୀୟ ଭକ୍ତନିବାସକୁ ସ୍ଥାନାନ୍ତର କରାଯାଇଛି । ପରବର୍ତ୍ତୀ ପର୍ଯ୍ୟାୟରେ ସାନଛତା ମଠ ଉଚ୍ଛେଦ କରାଯିବାର ଯୋଜନା ରହିଛି ।
ସୁଚନାଯୋଗ୍ୟ, ଗତ ୩ ତାରିିଖରେ ବଡ ଆଖଡା ମଠ ଉଚ୍ଛେଦ ଲାଗି ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ମଠର ମହନ୍ତ ଓ ସାଧୁସନ୍ଥଙ୍କ ବିରୋଧ ଯୋଗୁ ଉଚ୍ଛେଦ କାର୍ଯ୍ୟ ବନ୍ଦ ରହିଥିଲା । ପରେ ପ୍ରଶାସନ ମଠ ମହନ୍ତଙ୍କ ସହ ଆଲୋଚନା କରିବା ପରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି ।