(ରିପୋର୍ଟସ ଟୁଡ଼େ)ଭୁବନେଶ୍ୱର: ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପୁଥିବା କରୋନା ଭୁତାଣୁ ସଂକ୍ରମଣ ସମଗ୍ର ମାନବ ସମାଜ ପାଇଁ ଏକ ପ୍ରମୁଖ ଆହ୍ୱାନ ଭାବରେ ଉଭା ହୋଇଛି ।ଏହାର ସଫଳ ପ୍ରତିରୋଧ ପାଇଁ ପ୍ରତ୍ୟେକ ସ୍ତରରେ ମିଳିତ ଉଦ୍ୟମର ଆବଶ୍ୟକତା ରହିଛି । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ମୁକାବିଲା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ।ଏଥିସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ବିଧାୟକ ମାନଙ୍କୁ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ଜଣ ସାଧାରଣଙ୍କୁ କରୋନା ମୁକାବିଲା ପାଇଁ ସତର୍କ ଓ ସଚେତନତା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।ଏହି ପରିପ୍ରେକ୍ଷୀରେ ଆଜି ଗଞ୍ଜାମ ଜିଲ୍ଲା କବିସୂର୍ୟ୍ୟନଗର ନିର୍ବାଚନ ମଣ୍ଡଳୀର ବେଗୁନିଆପଡା ବ୍ଲକର ଶାଙ୍କୁଡ଼ା ପଞ୍ଚାୟତରେ କବିସୂର୍ୟ୍ୟନଗର ବିଧାୟିକା ଲତିକା ପ୍ରଧାନ କରୋନା ସଚେତନତା ପାଇଁ ହାତ ଧୁଆ କାର୍ୟ୍ୟକ୍ରମ ଆରମ୍ଭ କରିଛନ୍ତି । ଲତିକା ଏହି କାର୍ୟ୍ୟକ୍ରମରେ ଲୋକଙ୍କୁ କିପରି କରୋନା ପାଇଁ ସଚେତନ ରହିବେ ଏବଂ ନିଜ ହାତ ସାବୁନରେ ଧୋଇବା ସହ ଲୋକଙ୍କୁ ଏହାର ବ୍ୟବହାର କରିବା ପାଇଁ କହିଥିଲେ ।ଏଥିସହିତ ସାମାଜିକ ଜନସମାଗମରେ ଲୋକଙ୍କଠାରୁ ଦୂରେଇ ରହିବା ଦ୍ୱାରା କରୋନା ଭୁତାଣୁ ସଂକ୍ରମଣ ରୋକିବାରେ ସବୁଠାରୁ ଫଳପ୍ରଦ ଉପାୟ ବୋଲି ପରାମର୍ଶ ଦେଇଛନ୍ତି ଲତିକା । ଧାର୍ମିକ ଉତ୍ସବ, ବିବାହ ବ୍ରତ ଆଦି ସାମାଜିକ ଜନସମାଗମଠାରୁ ଦୂରରେ ରହିବା ସହ ଜନଗହଳିକୁ ବର୍ଜନ କରିବା ଓ ଅନ୍ୟମାନଙ୍କ ସହ ମିଳାମିଶାକୁ କମ କରିବା ଦ୍ୱାରା ଏହି ରୋଗର ଆଶଙ୍କାକୁ ଯଥେଷ୍ଟ ପରିମାଣରେ ହ୍ରାସ କରାଯାଇପାରେ ବୋଲି ବିଧାୟିକା କହିଛନ୍ତି।ଏହା ସହ ସମସ୍ତଙ୍କର ସହଯୋଗରେ ଓଡିଶା ଏହାର ମୁକାବିଲା କରିବାରେ ସମର୍ଥ ହେବ ବୋଲି କହିଛନ୍ତି ବିଧାୟିକା ।ଏହି କାର୍ୟ୍ୟକ୍ରମରେ ବେଗୁନିଆପଡା ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା,ଜିଲ୍ଲା ପରିଷଦ ସଦସ୍ୟ ପ୍ରଫୁଲ୍ଲ ଚନ୍ଦ୍ର ତିଆଡ଼ି,ବିଜୁ ଶ୍ରମିକ ସାମୁଖ୍ୟ ସଭାପତି ବିଜୟ କୁମାର ନାୟକ,ସ୍ଥାନୀୟ ସରପଞ୍ଚ,ସମାଜ ସେବି ସୁରେନ୍ଦ୍ର ନାଥ ତିଆଡ଼ି, ଗୋପବନ୍ଧୁ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।