(ହିଞ୍ଜିଳି/ରଜନୀକାନ୍ତ ପାତ୍ର): ଜମିଜମାକୁ କେନ୍ଦ୍ରକରି ଆଜି ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅଧୀନରେ ଥିବା ମାଳିତି ଗାଁରେ ଜଣେ ୭୦ ବର୍ଷିୟ ବୃଦ୍ଧଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ଜଣକ ହେଲେ ମାଳିତି ଗାଁର ଦୁର୍ଯ୍ୟୋଧନ ନାୟକ (୭୦) । ଏନେଇ ପରିବାର ଲୋକ ଗାଙ୍ଗପୁର ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୂଚନାନୁଯାୟୀ ଗତ କିଛି ଦିନ ହେବ ଦୁର୍ଯ୍ୟୋଧନ ଓ ତାଙ୍କ ପାଖ ପଡୋଶିଙ୍କ ମଧ୍ୟରେ ଜମିଜମାକୁ କନ୍ଦ୍ରେ କରି ପାଟୁତୁଣ୍ଡ ଲାଗି ରହିଥିଲା । ଗତକାଲି ଏହି ଘଟଣାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ବଚାସ ହୋଇଥିଲା । ଆଜି ସେହି ଜମି ନିକଟରେ ଦୁର୍ଯ୍ୟୋଧନଙ୍କ ଶବ ପଡି ରହିଥିବା ପରିବାର ଲୋକ ଦେଖି ପୁଲିସକୁ ଜଣାଇଥିଲେ । ଘଟଣା ସଂପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଇଥିବା ଜଣାପଡିଛି ।