ଆସାମ କଂଗ୍ରେସ ବିଧାୟକଙ୍କ ଇସ୍ତଫା, ଶୀଘ୍ର ବିଜେପିରେ ଦେବେ ଯୋଗ

ଗୌହାଟୀ: ଆସାମ କଂଗ୍ରେସର ବିଧାୟକ ରୂପଜ୍ୟୋତି କୁର୍ମୀ ଶୁକ୍ରବାର ଦିନ ଦଳ ତଥା ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ରୁଜ୍ୟୋତି ଆସାମର ମରିଆନି ବିଧାନସଭା ମଣ୍ଡଳର ବିଧାୟକ ଭାବେ ବିଜୟ ହାସଲ କରିଥିଲେ । ଇସ୍ତଫା ପରେ ସେ କହିଛନ୍ତି ସେ ଖୁବ ଶୀଘ୍ର ବିଜେପିରେ ଯୋଗ ଦେବେ । ରୂପଜ୍ୟୋତି ତାଙ୍କ ଇସ୍ତଫା ପତ୍ର ବାଚସ୍ପତି ବିଶ୍ୱଜିତ ଦୈମାରୀଙ୍କୁ ଦେବା ସହ ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପଠାଇ ଦେଇଛନ୍ତି । ୪ ଥରର ବିଧାୟକ ହୋଇଥିବା ରୂପଜ୍ୟୋତି କହିଛନ୍ତି, ଜୁନ ୨୧ ତାରିଖରେ ସେ ବିଜେପିରେ ଯୋଗ ଦେବେ ।
ରୂପଜ୍ୟୋତି ରାଜ୍ୟର ଜଣେ ପ୍ରଭାବଶାଳୀ ସଦସ୍ୟ ଥିଲେ । ସେ ଚା ବାଗାନରେ କାର୍ଯ୍ୟରତ ସଂଗଠନରେ ସକ୍ରିୟ ଭୂମିକା ଗ୍ରହଣ କରି ଆସୁଛନ୍ତି । ଏହା ବ୍ୟତୀତ ସେ ପୂର୍ବତନ କଂଗ୍ରେସର ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ରୂପମ କୁର୍ମୀଙ୍କ ପୁଅ ଅଟନ୍ତି । ସେ ୨୦୦୬ରୁ ମାରିଆନିରୁ ଲଗାତର ବିଜୟ ହାସଲ କରି ଆସୁଛନ୍ତି ।
ଅନ୍ୟ ପଟେ କଂଗ୍ରେସ ତାଙ୍କ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବହିଷ୍କାର କରି ଦେଇଛି । ଆସାମ ପ୍ରଦେଶ କଂଗ୍ରେସ ସଭାପତି ରିପୁର ବୋରା କହିଛନ୍ତି, ନିଷ୍ପତ୍ତି ଏଆଇସିସି ପକ୍ଷରୁ ନିଆଯାଇଛି । ବୋରା ମାରିଆନି ବିଧାନସଭା ମଣ୍ଡଳିକୁ ତିନି ଜଣିଆ ଦଳକୁ ପଠାଇବାକୁ ଯାଉଛନ୍ତି । ଏହି ଦଳ ସେଠାକାର ରାଜନୈତିକ ସ୍ଥିତି ଅନୁଧ୍ୟାନ କରିବେ । ଏହି ଦଳରେ ପୂର୍ବତନ ବିଧାୟକ ରାଣା ଗୋସ୍ୱାମୀ, ଥୋରା ବିଧାୟକ ସୁଶାନ୍ତ ବୋରଗୋହାଁ ଓ ମନୋଜ ଧାନୱାର ରହିବେ ।