ହରିୟାଣା କଂଗ୍ରେସକୁ ଝଟକା:ଦଳ ଛାଡିଲେ ପୁର୍ବତନ ରାଜ୍ୟ ସଭାପତି ଅଶୋକ ତନୱର

(ରିପୋଟର୍ସ ଟୁଡେ,ନୁଆଦିଲ୍ଲୀ): ହରିୟାଣା ବିଧାନସଭା ନିର୍ବାଚନ ପୁର୍ବରୁ ରାଜ୍ୟ କଂଗ୍ରେସକୁ ଲାଗିଛି ବଡ ଝଟକା । ରାଜ୍ୟ କଂଗ୍ରେସର ପୁର୍ବତନ ସଭାପତି ଅଶୋକ ତନୱର ଶନିବାର ଦଳରୁ ଇସ୍ତଫା ଦେଇଛନ୍ତି । ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଏନେଇ ସେ ଟ୍ୱିଟ କରି ସୁଚନା ଦେଇଛନ୍ତି । ଦଳରେ ଟିକଟ ବଣ୍ଟନକୁ ନେଇ ଅଶୋକ କିଛିଦିନ ଧରି ଅସନ୍ତୁଷ୍ଟ ଥିଲେ । ଏପରିକି ୫କୋଟି ଟଙ୍କାରେ ଟିକଟ ବଣ୍ଟାଯାଉଥିବା ନେଇ ସେ ଅଭିଯୋଗ କରିଥିଲେ । ନିକଟରେ ସେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଚିଠି ଲେଖି ତାଙ୍କୁ ଦଳର ସମସ୍ତ ଦାୟିତ୍ୱରୁ ଦୁରେଇ ରଖିବାକୁ ଅନୁରୋଧ କରିଥିଲେ । କିନ୍ତୁ ଶନିବାର ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ବି ଇସ୍ତଫା ଦେଇଛନ୍ତି । ଏହାକୁ ନେଇ ଏବେ ହରିୟାଣା କଂଗ୍ରେସରେ ମାହୋଲ ସରଗରମ ରହିଛି । ଅଶୋକଙ୍କ ଇସ୍ତଫା ରାଜ୍ୟ କଂଗ୍ରେସକୁ କ୍ଷତି ପହଞ୍ଚାଇପାରେ ବୋଲି ଆଲୋଚନା ହେଉଛି ।