( ଜ୍ୟୋତିରଞ୍ଜନ ଧର / କଣିହାଁ ) : ମିନି ବସ୍ ରୁଟ୍ ପରିବର୍ତ୍ତନ ପାଇଁ ୫ ଶହ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିବା ତତ୍କାଳୀନ ବୌଦ୍ଧ ଜିଲା ଭାରପ୍ରାପ୍ତ ଆର୍ଟିଓ ତଥା ବର୍ତ୍ତମାନର ତାଳଚେର ଇନ୍ସପେକ୍ଟର ମୋଟର୍ ଭେଇକଲ୍(ଆଇଏମ୍ଭି) ଦେବୀ ପ୍ରସାଦ ପାଢ଼ିଙ୍କୁ ରାଜ୍ୟ ସରକାର ଚାକିରିରୁ ବହିସ୍କୃତ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ୨୦୧୦ ମସିହା ଏପ୍ରିଲ୍ ୧୫ ତାରିଖରେ ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନ୍ ହାତରେ ଧରାପଡ଼ିଲେ ଦେବୀ ପ୍ରସାଦ। ବୌଦ୍ଧ ଜିଲା ବୁଟୁପଲ୍ଲୀ ଗ୍ରାମର ରାଜ କିଶୋର ରାଜ୍ ନାମକ ଜଣେ ବ୍ୟକ୍ତି ଏକ ମିନିବସ୍ର ରୁଟ୍ ପରମିଟ୍ ସକାଶେ ଆବେଦନ କରିଥିଲେ । ଉକ୍ତ ରୁଟ୍ ପରମିଟ୍ ପାଇଁ ଭାରପ୍ରାପ୍ତ ଆର୍ଟିଓ ପାଢ଼ି ୮୫୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ହେଲେ ରାଜ୍ କିଶୋର ୫ଶହ ଟଙ୍କା ଦେବାକୁ ରାଜି ହୋଇଥିଲେ। ଏନେଇ ରାଜ୍ କିଶୋର ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନ୍ରେ ଅଭିଯୋଗ କରିଥିଲେ। ବୌଦ୍ଧ ଆର୍ଟିଓ କାର୍ୟ୍ୟାଳୟରେ ରାଜ୍ କିଶୋରଙ୍କ ଠାରୁ ଦେବୀ ପ୍ରସାଦ ୫ଶହ ଟଙ୍କା ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିଥିଲେ । ପରେ ବୌଦ୍ଧ ସ୍ଥିତ ଅସ୍ଥାୟୀ ବାସଭବନ ଏବଂ ବ୍ରହ୍ମପୁର ଗଜପତିନଗର ତୃତୀୟ ଲେନ୍ ସ୍ଥିତ ନିଜ ଘରେ ମଧ୍ୟ ଚଢ଼ଉ କରାଯାଇଥିଲା। ତାଙ୍କ ଠାରୁ ଏକ କିଲୋ ଓଜନରୁ ଅଧିକ ସୁନା ଅଳଙ୍କାର, ନଗଦ ଏକ ଲକ୍ଷ ୪୦ହଜାର ଟଙ୍କା, ବ୍ୟାଙ୍କ ଜମା ଖାତାରେ ୭ଲକ୍ଷ ୫୦ହଜାର ଟଙ୍କା, ୫ ଲକ୍ଷ ଟଙ୍କାର ବିଭିନ୍ନ ଆସବାବପତ୍ର, ବିଭିନ୍ନ ଜମିର ପ୍ରାୟ ୫୦ ରୁ ଅଧିକ ପଟ୍ଟା, ଏକ କାର୍, ସୋରଡ଼ାରେ ଫାର୍ମ ହାଉସ୍ ଏବଂ ଗଜପତିନଗରସ୍ଥିତ ପ୍ରାୟ ୫୦ ଲକ୍ଷରୁ ଅଧିକ ଟଙ୍କା ଘର ମିଳିଥିଲା। ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା। ଅନ୍ୟପଟେ ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ତାଙ୍କ ବିରୋଧରେ ମାମଲା ଚାଲୁ ରହିଥିଲା। ପରବର୍ତୀ ସମୟରେ ତାଙ୍କୁ ତାଳଚେର ଆଇଏମ୍ଭି ଭାବେ ଅବସ୍ଥାପିତ କରାଯାଇଥିଲା। ଗତ ଜୁନ୍ ୨୩ ତାରିଖରେ ଫୁଲବାଣୀ ସ୍ବତନ୍ତ୍ର ଜଜ୍ ଭିଜିଲାନ୍ସ ଏହି ମାମଲାର ଶୁଣାଣି କରିଥିଲେ। ଦେବୀ ପ୍ରସାଦ ଦୋଷୀ ସାବ୍ୟସ୍ତ ହୋଇଥିଲେ। ତାଙ୍କୁ ଚାକିରିରୁ ବାହିସ୍କୃତ କରିବା ପାଇଁ ଓଡ଼ିଶା ଲୋକସେବା ଆୟୋୟ(ଓପିଏସ୍ସି)ଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦିଆଯାଇଥିଲା। ଏଣୁ ରାଜ୍ୟ ସରକାର ତାଳଚେର ଆଇଏମ୍ଭି ଦେବୀ ପ୍ରସାଦ ପାଢ଼ିଙ୍କୁ ଚାକିରିରୁ ବହିସ୍କୃତ କରିଛନ୍ତି।