(ମମତା ସାମଲ)ରିପୋର୍ଟସଟୁଡେ: ମେଘାଳୟର ପୂର୍ବ ଜୟନ୍ତିଆ ହିଲ୍ସ ଜିଲ୍ଲାରେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ସହିତ ଛଅ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଶୁକ୍ରବାର ମେଘାଳୟ ପୋଲିସ ଏ ସମ୍ପର୍କରେ ସୂଚନା ଦେଇଛି । ମେଘାଳୟ ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଏକ ଗାଡିରେ ବିସ୍ଫୋରକ ସାମଗ୍ରୀ ପରିବହନ ହେଉଥିବା ନେଇ ଗୁପ୍ତ ସୂଚନା ପାଇବା ପରେ ପୋଲିସ ବୁଧବାର ରାତିରେ ଚାରୋଟି ଅଞ୍ଚଳକୁ ସିଲ କରି ବ୍ୟାପକ ଖାନତଲାସି ଅଭିଯାନ ଆରମ୍ଭ କରିଥିଲା । ଏହି ସମୟରେ ଆସାମର ପଞ୍ଜୀକରଣ ନମ୍ବର ଥିବା ଏକ ଗାଡି ଲଡାରମ୍ବାଇ ପୋଲିସ ପୋଷ୍ଟର କଙ୍ଗୋଙ୍ଗରେ ଅଟକା ଯାଇଥିଲା ।ଆସିଷ୍ଟାଣ୍ଟ ଇନ୍ସପେକ୍ଟର ଜେନେରାଲ ଜି.କେ ଇନଗ୍ରାଇ କହିଛନ୍ତି ଯେ କାର ମଧ୍ୟରୁ ଦଶଟି ପେଟିରେ ୨୫୦ କିଲୋଗ୍ରାମ ବିସ୍ଫୋରକ (୨,୦୦୦ ଜେଲାଟିନ୍ ବାଡି), ୧୦୦୦ ଡିଟୋନେଟର ଜବତ କରିଥିଲା ।
ଗାଡିରେ ଥିବା ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା । ସେ କହିଛନ୍ତି ଯେ ଗିରଫ ହୋଇଥିବା ଲୋକଙ୍କଠାରୁ ସୂଚନା ପାଇବା ପରେ ଖାଲିହରିଟରେ ଆଉ ଚାରି ଜଣଙ୍କୁ ଗିରଫ କରାଯାଇଥିଲା । ସେଠାରେ ଚଢଉ ସମୟରେ ପ୍ରାୟ ୧୨୭୫ କିଲୋଗ୍ରାମ ବିସ୍ଫୋରକ (୧୦,୨୦୦ ଜେଲାଟିନ୍ ବାଡି), ୫୦୦୦ ଡିଟୋନେଟର ଉଦ୍ଧାର କରାଯାଇଥିଲା।
ଏହି ଅପରେସନ୍ ସମୟରେ ସମୁଦାୟ ୧୫୨୫ କିଲୋଗ୍ରାମ ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରାଯାଇଥିଲା ବୋଲି ଆସିଷ୍ଟାଣ୍ଟ ଇନ୍ସପେକ୍ଟର ଜେନେରାଲ ଜି.କେ ଇନଗ୍ରାଇ କହିଛନ୍ତି । ବର୍ତ୍ତମାନ ବିସ୍ଫୋରକ ଆଇନ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ଦଫା ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି । ଏବଂ ଏତେ ପରିମାଣରେ ବିସ୍ପୋରକ କେଉଁଠାରୁ ଆସୁଥିଲା ଓ ଏହା କୁଆଡେ ଯାଉଥିଲା ସେ ନେଇ ବର୍ତ୍ତମାନ ପୋଲିସ ତଦନ୍ତ ଆରମ୍ଭ କରିଛି ।